ପୁଣି ୧୩ ପଇସା ବଢ଼ିଲା ପେଟ୍ରୋଲ ୯ ଦିନରେ ୮ ଥର ବୃଦ୍ଧି

ଭୁବନେଶ୍ୱର,୨୫।୮: ପେଟ୍ରୋଲ ଦର ବୃଦ୍ଧିରେ ବର୍ତ୍ତମାନ ବିରତି ଲାଗି ପାରୁନାହିଁ। ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଦର ୮ଥର ବଢିଥିବା ଜଣାପଡିଛି। ବର୍ତ୍ତମାନ କରୋନା ସଂକ୍ରମଣ ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ତେଲ ଦର ବୃଦ୍ଧି ସମସ୍ୟାକୁ ଜଟିଳ କରୁଛି। ସୋମବାର ଲଗାତର ୫ମ ଦିନ ପାଇଁ ପେଟ୍ରୋଲ ଦର ବଢିଛି। ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୧୩ ପଇସା ବଢି ୮୨.୧୭ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ଅପରିବର୍ତ୍ତିତ ୮୦.୦୩ ଟଙ୍କା ରହିଛି। ରବିବାର ପେଟ୍ରୋଲ ଦର ୧୪ ପଇସା ବଢିଥିଲା। ଗତ ୨୪ ଦିନ ହେବ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ। ଗତ ୯ ଦିନରେ ପେଟ୍ରୋଲ ଦର ୮ଥର ବଢିବା ଯୋଗୁ ଦର ୧.୧୪ ଟଙ୍କା ମହଙ୍ଗା ହୋଇଛି। ମେଟ୍ରୋ ସହରଗୁଡ଼ିକ କଥା ବିଚାରକଲେ ପେଟ୍ରୋଲ ୧୨ରୁ ୧୩ ପଇସା ବଢିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ବଢି ୮୧.୬୨ ଟଙ୍କା ଥିବା ବେଳେ ଚେନ୍ନାଇରେ ୧୨ ପଇସା ବଢି ୮୪.୬୪ ଟଙ୍କା, କୋଲକାତାରେ ୧୨ ପଇସା ଉଚ୍ଚରେ ରହି ୮୩.୧୩ ଟଙ୍କା ଏବଂ ମୁମ୍ବାଇରେ ୧୨ ପଇସା ବୃଦ୍ଧି ପାଇ ୮୮.୨୮ ଟଙ୍କା ରହିଛି। ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। ଜୁନ୍‌ ୨୯ ପରଠାରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ଅଗଷ୍ଟ ୧୬ ପରଠାରୁ ଦରରେ ପୁଣି ପରିବର୍ତ୍ତନ ହେଉଛି।

Share