Categories: ଖେଳ

ଗାଷ୍ଟନଙ୍କୁ ବିପୁଳ ଜରିମାନା

ଲଣ୍ଡନ, ୨୪ା୫ (ଏପି): ଅଣଖେଳୁଆଡ ଆଚରଣ ପାଇଁ ଏଟିପି ଟୁର୍‌ ଫ୍ରେଞ୍ଚ ଟେନିସ ଖେଳାଳି ହୁଗୋ ଗାଷ୍ଟନଙ୍କୁ ୧,୪୪,୦୦୦ ୟୁରୋ (ପ୍ରାୟ ୧,୫୫,୦୦୦ ଡଲାର) ଜରିମାନା କରିଛ, ଯାହାକି ୨୦୨୩ରେ ସେ ପାଇଥିବା ମୋଟ ପୁରସ୍କାର ରାଶିଠାରୁ ଅଧିକ। ଏକ ଡୁ-ଓଭର ପାଇବା ଲାଗି ପ୍ରଚେଷ୍ଟା ବେଳେ ଏକ ପଏଣ୍ଟ ପାଇଁ ସେ ପକେଟରୁ ଏକ ବଲ୍‌ କାଢ଼ି କୋର୍ଟକୁ ଫିଙ୍ଗିଥିଲେ। ଚଳିତ ସିଜନରେ ଏହା ହେଉଛି ତାଙ୍କର ଚତୁର୍ଥ ଅଣଖେଳୁଆଡ ଆଚରଣ। ଏଟିପି ଟୁର୍‌ ସୋମବାର ଏହାର ରୁଲିଂ ଘୋଷଣା କରିଛି। ଗାଷ୍ଟନ ଜରିମାନାଙ୍କୁ ଅଧା ଅର୍ଥାତ୍‌ ୭୨,୦୦୦ ୟୁରୋ (ପ୍ରାୟ ୭୭,୫୦୦ ଡଲାର) କରିବା ଲାଗି ଅପିଲ କରିଥିଲେ। ଏଥିଲାଗି ତାଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି। ତନ୍ମଧ୍ୟରେ ଏକ ବର୍ଷ ପ୍ରୋବେଶନାରି ପିରିୟଡ ମଧ୍ୟରେ ଏଭଳି ଆଚରଣ ନ ଦୋହରାଇବା ଲାଗି କୁହାଯାଇଛି। ଗୋଟିଏ ସିଜନରେ କ୍ରମାଗତ ଅଣଖେଳୁଆଡ ଆଚରଣ ଦେଖିବାକୁ ମିଳିଲେ ପ୍ରତିଟି ଉଲ୍ଲଂଘନ ପାଇଁ ଜରିମାନା ପରିମାଣ ଶତ ପ୍ରତିଶତ ବୃଦ୍ଧି ପାଇବ। ଚଳିତବର୍ଷ ଗାଷ୍ଟନ ଇତିମଧ୍ୟରେ ପୁରସ୍କାର ବାବଦରେ ୧,୨୦,୦୦୦ ଡଲାର ଉପାର୍ଜନ କରିସାରିଛନ୍ତି। ଏହି ବାମହାତି ଖେଳାଳିଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୫୮ ରହିଛି। ବର୍ତ୍ତମାନ କିନ୍ତୁ ସେ ର଼୍ୟାଙ୍କିଙ୍ଗ ତାଲିକାର ୧୦୮ ତମ ସ୍ଥାନରେ ଅଛନ୍ତି। ଗତ ଏପ୍ରିଲ ୨୮ରେ ବୋର୍ନା କୋରିକ୍‌ ବିପକ୍ଷ ୬-୩, ୬-୩ ମାଡ୍ରିଡ ଓପନ ଦ୍ୱିତୀୟ ରାଉଣ୍ଡରେ ପରାଜୟ ମ୍ୟାଚ ବେଳେ ସେ ଚେୟାର ଅମ୍ପାୟରଙ୍କ ନିକଟକୁ ଯାଇ ରିପ୍ଲେ ସହ ଏକ ପଏଣ୍ଟ ବାତିଲ କରିବା ଲାଗି ନିବେଦନ କରିଥିଲେ। ଆସନ୍ତା ରବିବାରରୁ ଫ୍ରେଞ୍ଚ ଓପନ ଆରମ୍ଭ ହେବ। ଏଥିପାଇଁ ଫ୍ରେଞ୍ଚ ଟେନିସ ଫେଡେରେଶନ ଗତ ସପ୍ତାହରେ ଗାଷ୍ଟନଙ୍କୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ଦେଇଛି। ଏହି ଖେଳାଳି ତାଙ୍କ କ୍ୟାରିୟରରେ ଏକ ଗ୍ରାଣ୍ଡସ୍ଲାମରେ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୦ ରୋଲାଣ୍ଡ ଗ୍ୟାରୋସଠାରେ କରିଥିଲେ। ସେତେବେଳେ ସେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ବର୍ଷକ ପୂର୍ବେ ସେ ପ୍ୟାରିସରେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇପାରିଥିଲେ।

Share