ବର୍ତ୍ତମାନ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଜାତୀୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା
ଦ୍ୱାରା ତାହା ପରବର୍ତ୍ତୀ ସମୟରେଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ…
ଦୈନନ୍ଦିନ ଜୀବନରେ ଆମ ଶରୀର ପାଇଁ ସନ୍ତୁଳିତ ଆହାର ବେଶ୍ ଉପଯୋଗୀ। ହେଲେ ଏଥିପ୍ରତି ଅଧିକାଂଶ ଗୁରୁତ୍ୱ ନ ଦେଇ ତେଲମସଲାଯୁକ୍ତ ଖାଦ୍ୟ, ଜଙ୍କ୍ଫୁଡ୍, ଫାଷ୍ଟଫୁଡ୍ ଆଦି ପ୍ରତି ଅଧିକ ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ଗ୍ୟାଷ୍ଟ୍ରିକ୍ ସମସ୍ୟା ବର୍ତ୍ତମାନ ସମୟରେ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପଯର୍ୟନ୍ତ ସବୁବର୍ଗର ବ୍ୟକ୍ତିମାନଙ୍କ ମଧ୍ୟରେ ଦେଖାଯାଉଛି। ବିଶେଷକରି ବାହାରେ ଅଧିକାଂଶ ସମୟ ଖାଉଥିବା ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ଅଧିକ ବଢ଼ୁଛି। ଏହାକୁ ଅଧିକାଂଶ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରୁଛନ୍ତି, ଯାହାକି ଭବିଷ୍ୟତରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ଲକ୍ଷଣ: ପେଟର ଉପର ଭାଗରେ ପୀଡ଼ା ଓ ଜଳାପୋଡ଼ା ଅନୁଭବ ହେଲେ ତାହା ଗ୍ୟାସଜନିତ ସମସ୍ୟା ବୋଲି କୁହାଯାଏ। କେବଳ ଏତିକି ନୁହେଁ, ଛାତିରେ ଜଳାପୋଡ଼ା ହେବା, ପେଟ ଫମ୍ପାଇବା, ଆମ୍ବିଳା ହାକୁଟି ଦେବା, ଛାତି ବିନ୍ଧିବା ଆଦି ଅନେକ ଲକ୍ଷଣ ଏହି ଗ୍ୟାଷ୍ଟ୍ରିକ ସମସ୍ୟା ଯୋଗୁ ଦେଖାଦେଇଥାଏ।
କାରଣ: ଯୁବାବସ୍ଥାରେ ଗ୍ୟାଷ୍ଟ୍ରିକ୍ ସମସ୍ୟାର ଅନେକ କାରଣ ରହିଛି। ଖାଦ୍ୟପେୟରେ ଅନିୟମିତତା, ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଗ୍ରହଣ କରିବା ମୁଖ୍ୟତଃ ଏହାର ବଳିଷ୍ଠ କାରଣ। ଅନେକ ଯୁବତୀଯୁବକ ଗୋଟିଏ ସ୍ଥାନରେ ବସି କାମ କରିବା, ଅଧିକ ରାତିଯାଏ ନ ଶୋଇବା, ସକାଳୁ ବିଳମ୍ବରେ ଉଠିବା ଏବଂ ଜଳଖିଆ ନ ଖାଇବା, ଦୀର୍ଘ ସମୟ ପଯର୍ୟନ୍ତ ଉପବାସ ରହିବା ପରେ ଭୋକରେ ଏକାସଙ୍ଗେ ଆବଶ୍ୟକତାଠାରୁ ଅଧିକ ଖାଇବା ଯୋଗୁ ଗ୍ୟାଷ୍ଟ୍ରିକ ସମସ୍ୟାର ଶିକାର ହେଉଛନ୍ତି। ହେଲିକୋ ବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ, ଯାହାକି ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରାଏ। ପାକସ୍ଥଳୀରେ ସାଧାରଣତଃ ଏହି ଜୀବାଣୁମାନେ ରହିଥା’ନ୍ତି। ସେହିପରି ଅତ୍ୟଧିକ ପେନ୍କିଲର ଖାଇବା ଦ୍ୱାରା ମଧ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜିଥାଏ। ତେଣୁ ଏ କ୍ଷେତ୍ରରେ ଡାକ୍ତରମାନଙ୍କ ପରାମର୍ଶ ନିଆଯିବା ନିହାତି ଜରୁରୀ। ଆବଶ୍ୟକ ନ ହେଲେ ପେନ୍କିଲର ଖାଇବା ଆଦୌ ଠିକ୍ ନୁହେଁ। ଅପମିଶ୍ରିତ ଖାଦ୍ୟପଦାର୍ଥ ମଧ୍ୟ ଏହି ଗ୍ୟାଷ୍ଟ୍ରିକ ସମସ୍ୟାକୁ ନିମନ୍ତ୍ରଣ କରିଥାଏ।
ବର୍ତ୍ତମାନ ସମୟରେ ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହି ସବୁବେଳେ ସନ୍ତୁଳିତ ଆହାର ଉପରେ ଗୁରୁତ୍ୱ ଦିଆଯିବା ଉଚିତ।
ଚିକିତ୍ସା: ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଲେ ବିଳମ୍ବ ନ କରି ଏହାର ପରୀକ୍ଷାନିରୀକ୍ଷା କରାଇ ସମାଧାନର ସୂତ୍ର ବାହାର କରାଯିବା ଆବଶ୍ୟକ। ସମସ୍ୟା ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଥମେ ଇଣ୍ଡୋସ୍କୋପି ଦ୍ୱାରା ଏହାର ପରୀକ୍ଷା କରାଇବା ଦରକାର। ଖାଦ୍ୟନଳୀ ଓ ପାକସ୍ଥଳୀ ଭିତରେ କେଉଁଠି ଓ କାହିଁକି ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜୁଛି ତାହା ଏହି ଇଣ୍ଡୋସ୍କୋପି ମାଧ୍ୟମରେ ସ୍ପଷ୍ଟ ଜଣାପଡ଼ିଥାଏ। ସେହିପରି ର଼୍ୟାପିଡ୍ ୟୁରିୟେଜ ଟେଷ୍ଟ ମାଧ୍ୟମରେ ମଧ୍ୟ ଗ୍ୟାଷ୍ଟ୍ରିକ୍ର ପରୀକ୍ଷା କରାଯାଇଥାଏ। ଅନ୍ୟପକ୍ଷରେ ବ୍ରେଥ୍ ଟେଷ୍ଟ ଏହି ଗ୍ୟାଷ୍ଟ୍ରିକ୍ ସମସ୍ୟାର ଆଉ ଏକ ପରୀକ୍ଷା ପଦ୍ଧତି। ଏହି ଟେଷ୍ଟ ମାଧ୍ୟମରେ ନିଃଶ୍ୱାସପ୍ରଶ୍ୱାସରୁ ଶରୀରରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ଅଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ। ଅନ୍ୟପକ୍ଷରେ ମଳ ପରୀକ୍ଷାରୁ ମଧ୍ୟ ଗ୍ୟାଷ୍ଟ୍ରିକ୍ ସମସ୍ୟା ଜଣାପଡ଼େ। ଏତଦ୍ବ୍ୟତୀତ ରକ୍ତପରୀକ୍ଷା, ହର୍ମୋନାଲ ଡିଟେକ୍ଟ, କିଡ୍ନୀ ଓ ଲିଭର ଟେଷ୍ଟ ଫକ୍ସନ ମଧ୍ୟ ହୋଇଥାଏ। ଏହି କିଡ୍ନୀ ଓ ଲିଭର ଟେଷ୍ଟ କରାଗଲେ ତାହା ମଧ୍ୟ ଗ୍ୟାଷ୍ଟ୍ରିକ୍ ସମସ୍ୟାର କିଛିଟା ସୂଚନା ଦେଇଥାଏ।
ଜଟିଳତା: ଯଦି ପେଟ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ ହେଉଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ଅଣଦେଖା କଲେ ଏହା କ୍ରମଶଃ କର୍କଟ ରୋଗ ଆଡ଼କୁ ଗତି କରିଥାଏ। ପ୍ରଥମେ ଅଲ୍ଶର ଓ ପରେ କ୍ୟାନ୍ସରର ରୂପ ନେଇ ଏହା ମଣିଷ ଜୀବନ ପ୍ରତି ଭୟଙ୍କର ବିପଦ ଆଣିଥାଏ। ଯଦି ଠିକ୍ ସମୟରେ ଭୋକ ନ ଲାଗିଲା କିମ୍ବା ଖାଦ୍ୟ ଖାଇବା ବେଳେ ତଣ୍ଟି ପାଖରେ ଜଳାପୋଡ଼ା ଅନୁଭବ ହେଲା, ତେବେ ଏହା ଭୟଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟାର ସୂଚନା ଦେଇଥାଏ। ଏକ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ।
ସର୍ବୋପରି କହିବାକୁ ଗଲେ ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ସାଧାରଣ ରୋଗ ନ ଭାବି ଯଥା ସମୟରେ ଚିକିତ୍ସା କରିବା ଦରକାର। ଏହା ସହ ସୁସ୍ଥ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟାଭ୍ୟାସ ରଖିଲେ ଏହି ସମସ୍ୟାଠୁ ଦୂରେଇ ରହିପାରିବେ ସେଥିରେ ସନ୍ଦେହ ନାହିଁ।
– ଡା. ଆଲୋକ କୁମାର ମନ୍ତ୍ରୀ
– ପେଟ ଓ ଯକୃତ ରୋଗ ବିଶେଷଜ୍ଞ, ଭୁବନେଶ୍ୱର