ନିରାକାରପୁର,୧୮ା୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ସ୍ଥିତ ମନ୍ଦାକିନୀ ବ୍ୟାରେଜର ୫ ନମ୍ବର ଗେଟ୍ଟି ପାଣି ସୁଅରେ ଭାଙ୍ଗିଯାଇଛି। ଫଳରେ ତଳ ମୁଣ୍ଡରେ ଘାଇ ସୃଷ୍ଟି ହୋଇ ୨ଟି ପଞ୍ଚାୟତର ୫ରୁ ଊର୍ଦ୍ଧ୍ୱ ଗାଁ ପାଣିଘେରରେ ରହିଛି। ଚାଷୀଙ୍କ ହିତ ପାଇଁ ୧୯୮୧ ଡିସେମ୍ବର ୨୨ରେ ୯ଟି ଗେଟ ବିଶିଷ୍ଟ ଏହି ବ୍ୟାରେଜ ନିର୍ମାଣ କରାଯାଇଥିଲା। ରକ୍ଷାଣବେକ୍ଷଣ ଅଭାବରୁ ଅନେକ ସମୟରେ ଏହି ଗେଟ୍ ଭାଙ୍ଗୁଥିବା ନଜିର ରହିଛି। ଗତ ଫନୀ ବାତ୍ୟାରେ ୬, ୭ନଂ. ଗେଟ୍ ଭାଙ୍ଗିଯାଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନୂଆ ଗେଟ୍ ଲାଗିଥିଲା। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ିବା ସହ ପ୍ରଖର ସ୍ରୋତ ଆସିବାରୁ ଶନିବାର ରାତିରେ ଏହି ଗେଟଟି ଭାଙ୍ଗି ଯାଇଥିଲା। ଦାୟିତ୍ୱରେ ଥିବା କର୍ମଚାରୀ ତଦାରଖ କରୁ ନ ଥିବାରୁ ଏଭଳି ସମସ୍ୟା ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଖୋର୍ଦ୍ଧା ମଲାଗୁଣି କ୍ଷୁଦ୍ର ଜଳସୋଚନର ନିର୍ବାହୀ ଅଧିକାରୀ ମନୋଜ ଦାସ କୁହନ୍ତି, ଏହି ଗେଟ୍ ମଝିରେ ରହିଥିବାରୁ ପାଣିର ପ୍ରଖର ସ୍ରୋତରେ ମାଡ଼ ହୋଇ ଭାଙ୍ଗିଯାଇଛି। ପାଣି ଛାଡିଲେ ଏହି ଗେଟ୍ ନୂଆ ଲଗାଯିବ ବୋଲି ସେ କହିଛନ୍ତି।