Categories: ଜାତୀୟ

ଦିନକୁ ଆୟ କରୁଛନ୍ତି ହଜାରେ କୋଟି

ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି ପାଇଛି। ୨୦୨୦ରେ ତାଙ୍କ ପାଖରେ ୧,୪୦,୨୦୦ କୋଟି ଟଙ୍କା ସମ୍ପତ୍ତି ଥିଲା। ଏବେ ତାଙ୍କ ସମ୍ପତ୍ତି ୫,୦୫,୯୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗୁରୁବାର ପ୍ରକାଶ ପାଇଥିବା ଆଇଆଇଏଫ୍‌ଏଲ୍‌ ଓ୍ବେଲଥ ହୁରୁନ ଇଣ୍ଡିଆ ଧନୀ ୨୦୨୧ର ତାଲିକାରେ ଏହା ଦର୍ଶାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀ (୬୪) ୭.୧୮ ଲକ୍ଷ କୋଟି ସମ୍ପତ୍ତି ସହ ଆଗରେ ଅଛନ୍ତି। ଏଥିସହ କ୍ରମାଗତ ୧୦ମ ବର୍ଷ ପାଇଁ ସେ ଦେଶର ସବୁଠୁ ଧନୀ ମାନ୍ୟତା ପାଇଛନ୍ତି। ୫୯ ବର୍ଷୀୟ ଆଦାନି ଦିନକୁ ୧,୦୦୨ କୋଟି ଟଙ୍କା ଆୟ କରି ଚାଇନାର ପାଣି ବୋତଲ ନିର୍ମାତା ଝୋଙ୍ଗ ଶାନଶାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଦେଶରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ଗୌତମ ଆଦାନିଙ୍କ ପଛକୁ ତୃତୀୟରେ ଶିବ ନାଦାର, ୪ର୍ଥରେ ଏସପି ହିନ୍ଦୁଜା ପରିବାର, ୫ମରେ ଲକ୍ଷ୍ମୀ ନାରାୟଣ ମିତ୍ତଲ, ୬ଷ୍ଠରେ ସାଇରସ ପୁନାଓ୍ବାଲା, ୭ମରେ ରାଧାକିଶନ ଦମାନୀ, ୮ରେ ବିନୋଦ ଶାନ୍ତିଲାଲ ଅଦାନୀ, ୯ରେ କୁମାର ମଙ୍ଗଳମ ବିର୍ଲା ଏବଂ ୧୦ମ ସ୍ଥାନରେ ଜୟ ଚୌଧୁରୀ ରହିଛନ୍ତି।

Share