ବିଲ ଗେଟ୍ସଙ୍କୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୧।୭: ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି। ଏହି କ୍ରମରେ ସେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ପଛରେ ପକାଇଛନ୍ତି। ଏବେ କେବଳ ଏଲୋନ ମସ୍କ, ବର୍ନାଡ ଆନାଲ୍ଟ ଏବଂ ଜେଫ ବେଜୋସ ଆଦାନୀଙ୍କଠାରୁ ଆଗରେ ଅଛନ୍ତି।
ପରିସଂଖ୍ୟାନ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରାୟ ଦ୍ୱିଗୁଣିତ ହୋଇଛି। ତାଙ୍କ ସମ୍ପତ୍ତିର ଦ୍ରୁତ ଅଭିବୃଦ୍ଧିକୁ ଦେଖିଲେ ସେ ଆଗାମୀ ଦିନରେ ଦୁନିଆର ଶ୍ରେଷ୍ଠ ତିନି ଧନୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ସ୍ଥାନ ପାଇପାରିବେ। ୨୦୨୧ ଆରମ୍ଭରେ ଗୌତମ ଆଦାନୀଙ୍କ ସମ୍ପତ୍ତି ପାଖାପାଖି ୫୫-୬୦ ବିଲିୟନ ଡଲାର ଥିଲା, ଯାହା ବର୍ତ୍ତମାନ ପ୍ରାୟ ୧୧୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କ ସମ୍ପତ୍ତି ୨୩୦.୮ ବିଲିୟନ ଡଲାର ଥିବାବେଳେ ବର୍ନାଡ ଆନାଲ୍ଡଙ୍କ ସମ୍ପତ୍ତି ୧୪୮.୫ ବିଲିୟନ ଡଲାର ରହିଛି। ସେହିପରି ଆମାଜନ ପ୍ରତିଷ୍ଠାତ ଜେଫ ବେଜୋସଙ୍କ ସମ୍ପତ୍ତି ପ୍ରାୟ ୧୩୯.୫ ବିଲିୟନ ଡଲାର ରହିଛି।