Categories: ଖେଳ

କୋହଲିଙ୍କ ସହ ବିବାଦ ଉପରେ ନୀରବତା ଭାଙ୍ଗିଲେ ଗମ୍ଭୀର

ନୂଆଦିଲ୍ଲୀ, ୧୩।୬: ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମେ’ ୧ରେ ଖେଳାଯାଇଥିଲା । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ୧୮ ରନରେ ଜିତିଥିଲା। ଏହି ମ୍ୟାଚ ପରେ ବିରାଟ କୋହଲି ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା। ଏଥି ସହ ଲକ୍ଷ୍ନୌ ଖେଳାଳି ନବୀନ-ଉଲ-ହକ ମଧ୍ୟ ମ୍ୟାଚ ସମୟରେ ବିରାଟ କୋହଲିଙ୍କ ସହ ସଂଘର୍ଷ କରିଥିଲେ। ବର୍ତ୍ତମାନ ଗୌତମ ଗମ୍ଭୀର ସମସ୍ତ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି।

ଏକ ସାକ୍ଷାତକାରରେ ଗୌତମ ଗମ୍ଭୀର ପଡ଼ିଆରେ ଚାଲିଥିବା ବିତର୍କ ବିଷୟରେ କହିଛନ୍ତି, ପୂର୍ବରୁ ମଧ୍ୟ ପଡ଼ିଆରେ ମୋର ବିତର୍କ ହୋଇଥିଲା, କିନ୍ତୁ ମୁଁ ସବୁବେଳେ ସେହି ବିତର୍କ ଏବଂ ଯୁକ୍ତିକୁ ପଡ଼ିଆରେ ସୀମିତ ରଖେ। ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ସୀମା ଅତିକ୍ରମ ନ କରିବା ଉଚିତ୍‌। ଅନେକ ଲୋକ ଟିଆରପି ପାଇଁ ଅନେକ କଥା କହିଥିଲେ ଏବଂ ଅନେକଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଗମ୍ଭୀର ଆହୁରି କହିଛନ୍ତି, ଦୁଇ ଜଣଙ୍କ ମଧ୍ୟରେ କ’ଣ ଘଟେ ତାହା ବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ନାହିଁ। ଏହା କ୍ରିକେଟ ମଇଦାନରେ ଘଟିଥିଲା, ମଇଦାନ ବାହାରେ ନୁହେଁ। ଯଦି ଏହା ମଇଦାନ ବାହାରେ ହୋଇଥାନ୍ତା, ତେବେ ତେବେ ଆପଣ ଏହାକୁ ଏକ ଲଢେଇ ବୋଲି କହି ପାରିବେ।

Share