Categories: ଖେଳ

କେକେଆର୍‌ ଛାଡ଼ି ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୨୮।୫: ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବା ଲାଗି ସହମତି ପ୍ରକାଶ କରିଛନ୍ତି। ଏଣୁ ରାହୁଲ ଦ୍ରାବିଡଙ୍କ ପରେ ଗମ୍ଭୀର ହିଁ ହେଡ୍‌ କୋଚ୍‌ ହେବେ। ବିସିସିଆଇ ଏବଂ ତାଙ୍କ ମଧ୍ୟରେ ଚୁକ୍ତି ହୋଇସାରିଛି। ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯିବ।
ଆଇପିଏଲ୍‌ ୨୦୨୪ର ଫାଇନାଲ ମେ ୨୬ରେ ଖେଳାଯିବ। ମେ ୨୭ରେ ଏହି ପଦ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଥିଲା। ଫାଇନାଲ ତୁରନ୍ତ ପରେ ବିସିସିଆଇ ସଚିବ ଜୟ ଶାହା ଗମ୍ଭୀରଙ୍କୁ ଭେଟିଥିଲେ। ଉଭୟ ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ଦେଖାଯାଇଥିଲା। ତେବେ ଏଯାଏ ଏହି ପଦ ଲାଗି ଗମ୍ଭୀର ଆବେଦନ କରିଛନ୍ତି କି ନାହିଁ ଜଣାପଡ଼ି ନ ଥିଲେ ହେଁ ବିସିସିଆଇ ତାଙ୍କୁ ହେଡ୍‌ କୋଚ୍‌ କରିବାକୁ ଚାହାନ୍ତି। ଗମ୍ଭୀର ମଧ୍ୟ ଏଥିଲାଗି ସହମତି ପ୍ରକାଶ କରିଛନ୍ତି।
କ୍ରିକବଜ୍‌ର ରିପୋର୍ଟ ମୁତାବକ, ଗମ୍ଭୀର ଦେଶ ପାଇଁ ଟିମ୍‌ ଇଣ୍ଡିଆର କୋଚ୍‌ ହେବାକୁ ରାଜି ହୋଇଛନ୍ତି। ସେ ଜଣେ ବଡ଼ ଦେଶଭକ୍ତ। ଏହି କାରଣରୁ ଦୀର୍ଘ ସାଢେ ୩ ବର୍ଷ ଧରି ସେ ଏହି ଦାୟିତ୍ୱ ତୁଲାଇବାକୁ ହଁ ଭରିଛନ୍ତି। ଯଦି ସେ ଏହି ଦାୟିତ୍ୱ ତୁଲାନ୍ତି ତେବେ ତାଙ୍କୁ କେକେଆର୍‌ ଛାଡ଼ିବାକୁ ହେବ। ହେଲେ ସେ ଯେବେ ବି ଫେରିବେ ଫ୍ରାଞ୍ଚାଇଜ୍‌ ତାଙ୍କୁ ସ୍ବାଗତ କରିବ ବୋଲି କୁହାଯାଉଛି। ତେବେ ଏସବୁ ଆଲୋଚନା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।
Share