Categories: ଜାତୀୟ

ଗୌତମ ନଭଲଖାଙ୍କ ଗୃହବନ୍ଦୀ ଆବେଦନକୁ ଅନୁମତି

ନୂଆଦିଲ୍ଲୀ,୧୧।୧୧(ପି.ଟି.):ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲା ସହ ସମ୍ପୃକ୍ତି ଅଭିଯୋଗରେ ଜେଲ୍‌ରେ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ଗୃହବନ୍ଦୀ ଆବେଦନକୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କ ମେଡିକାଲ ରିପୋର୍ଟକୁ ଖାରଜ କରିବାର କୌଣସି କାରଣ ନ ଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି ବୋଲଇ ସର୍ବୋଚ୍ଚ ଅଦାଲତ କହିଛନ୍ତି। ୭୦ ବର୍ଷୀୟ ନଭଲଖାଙ୍କୁ ମାସେ ପାଇଁ ମୁମ୍ବାଇରେ ଗୃହବନ୍ଦୀ ରଖିବା ନିର୍ଦ୍ଦେଶ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ଏପର୍ଯ୍ୟନ୍ତ ଚାର୍ଜଫ୍ରେମ ହୋଇ ନ ଥିବାରୁ ଶୁଣାଣି ନିକଟ ଭବିଷ୍ୟତରେ ଶେଷ ହେବା ଭଳି ଜଣାପଡ଼ୁନାହିଁ। ସେଥିପାଇଁ ନଭଲଖାଙ୍କୁ ମାସେ ଗୃହବନ୍ଦୀ ରଖାଯିବା ଲାଗି ଅନୁମତି ଦିଆଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ଏବାବଦରେ ଖର୍ଚ୍ଚ ହେବାକୁ ଥିବା ୨.୪ ଲକ୍ଷ ଟଙ୍କା ଜମା କରିବା ଲାଗି ଖଣ୍ଡପୀଠ ନଭଲଖାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହବନ୍ଦୀ ସମୟରେ ସେ କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବହାର କରିପାରିବେ ନାହିଁ। ଇଣ୍ଟରନେଟ ନ ଥିବା ମୋବାଇଲ ଫୋନ୍‌ ତାଙ୍କୁ ଦିନକୁ ଥରେ ୧୦ ମିନିଟ ପାଇଁ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଯୋଗାଇଦେବେ। ସେ ମୁମ୍ବାଇ ଛାଡ଼ି ଯାଇପାରିବେ ନାହିଁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଛନ୍ତି।

Share