ନୂଆଦିଲ୍ଲୀ,୮।୩: ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଶେନ ଓ୍ବର୍ନଙ୍କୁ ସର୍ବକାଳୀନ ସ୍ପିନର କହିବାକୁ ମନା କରି ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ଏଥିଯୋଗୁ ଲିଟ୍ ମାଷ୍ଟର ଦୁଃଖ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି।
“ସେହି ପ୍ରଶ୍ନ କରାଯିବା ଉଚିତ ନ ଥିଲା ଏବଂ ମୋର ମଧ୍ୟ ସେଭଳି ଉତ୍ତର ଦେବା ଉଚିତ ନ ଥିଲା। ଏହା ତୁଳନା ଏବଂ ମୂଲ୍ୟାଙ୍କନ କରିବା ଲାଗି ଉଚିତ ସମୟ ନୁହେଁ। ଓ୍ବର୍ନ ଅନ୍ୟତମ ଶ୍ରେଷ୍ଠ ଖେଳାଳି ଥିଲେ। ରଡନି ମାର୍ଶ ମଧ୍ୟ ଶ୍ରେଷ୍ଠ ଉଇକେଟକିପରଙ୍କ ମଧ୍ୟରୁ ଜଣେ ଥିଲେ। ଭଗବାନ ସେମାନଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ” ବୋଲି ଗାଭାସ୍କର ସମାଲୋଚନା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି।
ମୋର ସେଭଳି ଉତ୍ତର ଦେବାର ଅର୍ଥ ଥିଲା ମୋତେ ପଚରାଯାଇଥିବା ପ୍ରଶ୍ନର ମୁଁ ସଚ୍ଚୋଟ ମତାମତ ଦେବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି।
ପୂର୍ବରୁ ଗାଭାସ୍କର କହିଥିଲେ, ଓ୍ବର୍ନ ସର୍ବକାଳୀନ ସ୍ପିନର ନ ଥିଲେ। କାରଣ ଭାରତରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ଥିଲା। ନିକଟରେ ପ୍ରାଣ ହରାଇଥିବା ଲେଗ୍ ସ୍ପିନରଙ୍କ ଉପରେ ଏଭଳି ବୟାନ ଯୋଗୁ ଗାଭାସ୍କରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।