Categories: ଖେଳ

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ହୁଏ ସେତେବେଳେ ସାରା ଦେଶରେ ମାହୋଲ ଅଲଗା ପ୍ରକାର ହୋଇଥାଏ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜ ଯେଉଁଭଳି ସଂଘର୍ଷପୂର୍ଣ୍ଣ ହୋଇଥାଏ ଅନୁରୂପ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ସବୁବେଳେ ରୋମାଞ୍ଚ ଦେଖିବାକୁ ମିଳେ। ତେବେ ଭାରତ ଓ ପାକିସ୍ତାନ ଖେଳାଳି ଏକାଠି ଗୋଟିଏ ଦଳ ପକ୍ଷରୁ ଖେଳିବା ଶୁଣିଲେ କଥାଟା ବିଶ୍ୱାସ ଲାଗେନି। କିନ୍ତୁ ୧୯୮୭ରେ ମେରିଲବୋନ କ୍ରିକେଟ୍‌ କ୍ଲବ ଓ ଅବଶିଷ୍ଟ ବିଶ୍ୱ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏହିଭଳି କିଛି ଘଟଣା ଦେଖବାକୁ ମିଳିଥିଲା। ଅବଶିଷ୍ଟ ବିଶ୍ୱ ଏକାଦଶ ଦଳରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି କପିଳ ଦେବ ଓ ଦିଲୀପ ଭେଙ୍ଗସରକାର ସାମିଲ ହୋଇଥିଲେ। ସେହିଭଳି ପାକିସ୍ତାନ ପକ୍ଷରୁ ଏକମାତ୍ର ଖେଳାଳିଭାବେ ଇମ୍ରାନ ଖାନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଏହି ମ୍ୟାଚ୍‌ର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ଗାଭାସ୍କର ଓ ଇମ୍ରାନଙ୍କ ମଧ୍ୟରେ ଶତକୀୟ ପାର୍ଟନରଶିପ୍‌।
ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ମେରିଲବୋନ୍‌ କ୍ରିକେଟ୍‌ କ୍ଲବ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ୍‌ରେ ୪୫୫ ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ଅବଶିଷ୍ଟ ବିଶ୍ୱ ଏକାଦଶ ୧୭୩ ରନରେ ଏହାର ୪ ଉଇକେଟ୍‌ ହରାଇ ସାରିଥାଏ। ଏହି ସମୟରେ ଓପନର୍‌ ଗାଭାସ୍କରଙ୍କ ସହ ଯୋଗ ଦେଇଥିଲେ ଇମ୍ରାନ। ଉଭୟ ୫ମ ଉଇକେଟ୍‌ ଯୋଡ଼ିରେ ୧୮୦ ରନର ମୂଲ୍ୟବାନ ପାର୍ଟନରଶିପ୍‌ କରିଥିଲେ। ଗାଭାସ୍କର ୧୮୮ ରନର ମାରାଥନ ଇନିଂସ ଖେଳିଥିବାବେଳେ ଇମ୍ରାନ ମଧ୍ୟ ୮୨ ରନର ଉପଯୋଗୀ ବ୍ୟାଟିଂ କରିଥିଲେ। ଅବଶିଷ୍ଟ ବିଶ୍ୱ ଏକାଦଶ ୪୨୧/୭ରେ ଇନିଂସ ଘୋଷଣା କରିଥିଲା। ଏହି ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଥିଲେ ମଧ୍ୟ ଗାଭାସ୍କର ଓ ଇମ୍ରାନଙ୍କ ପାର୍ଟନରଶିପ୍‌ ଏବେବି ସ୍ମରଣୀୟ ହୋଇ ରହିଛି। ଲଡର୍‌ସରେ ଗାଭାସ୍କରଙ୍କ ଏହା ଏକମାତ୍ର ଶତକ ଥିଲା।

Share