ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ କ୍ଲିନ୍ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ବଡ଼ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି। ବିରାଟ ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ମୋହାଲିରେ ଅବତରଣ କରିବେ। ଏହି ମ୍ୟାଚ ପାଇଁ ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ ପୂର୍ବରୁ ବିରାଟଙ୍କୁ ଗାଭାସ୍କର ମଧ୍ୟ ଏକ ଖାସ୍ ଅପିଲ୍ ମଧ୍ୟ କରିଛନ୍ତି। ଗାଭାସ୍କର ଭବିଷ୍ୟବାଣୀ କରି କହିଛନ୍ତି, ମୋହାଲି ଟେଷ୍ଟରେ କୋହଲି ଶତକ ଅର୍ଜନ କରିବେ। କୋହଲି ୨ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି। ତାଙ୍କର ଶେଷ ଶତକ ୨୦୧୯ରେ କୋଲକାତାରେ ବାଂଲାଦେଶ ବିପକ୍ଷରେ ଆସିଥିଲା। ଏଭଳି ପରିସ୍ଥିତିରେ ଗାଭାସ୍କର ଚାହୁଁଛନ୍ତି ଯେ ବିରାଟ କୋହଲି ତାଙ୍କ ଐତିହାସିକ ଟେଷ୍ଟ ମ୍ୟାଚରେ ଶତକର ମରୁଡ଼ିକୁ ଶେଷ କରନ୍ତୁ। ଆଶା କରୁଛି ସେ ଏକ ଶତକ ସହିତ ନିଜର ୧୦୦ ତମ ଟେଷ୍ଟ ପାଳନ କରିବେ। କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଏହା କରିନାହାଁନ୍ତି। ମୋର ମନେ ଅଛି, ୧୦୦ତମ ଟେଷ୍ଟରେ ଶତକ ହାସଲ କରିଥିବା କଲିନ କାଭଡ୍ରେ ବୋଧହୁଏ ପ୍ରଥମ ଖେଳାଳି ଥିଲେ, ଜାଭେଦ ମିଆଁଦାଦ ମଧ୍ୟ ଏହା କରିଥିଲେ। ଆଲେକ୍ସ ଷ୍ଟୁଆର୍ଟ ମଧ୍ୟ ଏହି କୀର୍ତ୍ତିମାନ କରିଥିଲେ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ଟେଷ୍ଟ ସିରିଜ ମାର୍ଚ୍ଚ ୪ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମୋହାଲିରେ ଏବଂ ଦ୍ୱିତୀୟଟି ବେଙ୍ଗାଲୁରୁରେ ଖେଳାଯିବ। ପ୍ରଥମ ମ୍ୟାଚ ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ମ୍ୟାଚ।