ହାଇସ୍କୁଲ୍ରେ ପଢ଼ିଲାବେଳୁ ଟିଭି ଓ ରେଡ଼ିଓରେ ସମ୍ବାଦ ପଢ଼ିବାକୁ ନେଇ ମନରେ ଖୁବ୍ ଆଗ୍ରହ ବଢ଼ିଥିଲା। କାରଣ ମୋ ବାବା ନୀଳମଣି ମୁଦ୍ରା ରେଡ଼ିଓ ଶୁଣିବାକୁ ଖୁବ୍ ଭଲ ପାଉଥିଲେ। ଭାବିଲି ମୁଁ ଯଦି ରେଡ଼ିଓରେ କହିବି ତା’ହେଲେ ବାବା ବହୁତ ଖୁସି ହେବେ। ସେଥିପାଇଁ ପାଠପଢ଼ା ସହିତ ବାବାଙ୍କ ପାଖରେ ପ୍ରତିଦିନ କିଛି କିଛି ସମୟ ରେଡ଼ିଓ, ଦୂରଦର୍ଶନରେ ଯେମିତି ସମ୍ବାଦ ପଢ଼ାଯାଏ, ସେମିତି ପେପର୍ ପଢ଼ିକି ଶୁଣାଉଥିଲି। ଏହା ଭିତରେ ମୋର ଗ୍ରାଜୁଏଶନ ସରିଗଲା। ମିଡିଆ ଲାଇନ୍ରେ ଆଗ୍ରହ ଥିବା ଦେଖି ବାବା ସେହି କ୍ଷେତ୍ରରେ କ୍ୟାରିୟର କରିବାକୁ ସମର୍ଥନ ଦେବାରୁ କ୍ରମେ ଟିଭିରେ କାମକରି ଦର୍ଶକଙ୍କ ସହିତ ଯୋଡ଼ିହୋଇଗଲି। ସେହିପରି ରେଡ଼ିଓରେ ବି କାମକରି ଶ୍ରୋତାଙ୍କ ସାଥୀ ବନିଗଲି। ୨୦୦୪ରେ ପୁରୀ ଅଲ୍ ଇଣ୍ଡିଆ ରେଡିଓରେ କାମ କରିବାର ସୁଯୋଗ ପାଇଲି। ଆଉ ପ୍ରଥମକରି ରେଡ଼ିଓ ଷ୍ଟେଶନରୁ ୩୫୦ ଟଙ୍କା ଦରମା ମିଳିଥିଲା; ଯାହାକି ମୋତେ ଖୁବ୍ ଆନନ୍ଦ ଦେଇଥିଲା। ପ୍ରଥମ ଦରମାର ଚେକ୍ଟିକୁ ଆଣି ବାବାଙ୍କ ହାତରେ ଦେବାରୁ ସେ ଖୁବ୍ ଖୁସିହେଲେ ଆଉ କହିଲେ, ୫୦୦ ଟଙ୍କା ନେ, ମୁଁ ପରେ ଏଇ ଚେକ୍ ଭଙ୍ଗେଇ ଆଣିଲେ ତୋ ଟଙ୍କା ତୋତେ ଦେଇଦେବି। କିନ୍ତୁ ମୁଁ ଜିଦି କରିବାରୁ ବାବା ବାଧ୍ୟହୋଇ ମୋତେ ବ୍ୟାଙ୍କ ନେଇ ଚେକ୍ ଭଙ୍ଗାଇ ଟଙ୍କା ଉଠାଇଲେ। ମୁଁ ମୋ ପାରିଶ୍ରମିକକୁ ଯେତେବେଳେ ହାତ ପାପୁଲିରେ ଧରିଲି ସେତେବେଳର ଆନନ୍ଦ କହିଲେ ନ ସରେ। ତା’ପରେ ବାବାଙ୍କ ସହ ଶ୍ରୀମନ୍ଦିର ଗଲି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ। ଯେତେବେଳେ ବାବା ଦୀପବାଲାକୁ ଟଙ୍କା ଦେଲେ ମୁଁ ମନାକଲି। ମୋ ରୋଜଗାର ପଇସାରେ ମୁଁ ଦୀପ ଦେବି କହି ଅଡ଼ିବସି ଦୀପବାଲାକୁ ଦଶ ଟଙ୍କା ଦେଲି। ସେମିତି ତୁଳସୀ ମାଳ କିଣିଲାବେଳେ ବି ବାବାଙ୍କୁ ମନାକଲି ଆଉ କହିଲି, ଆଜି ସବୁ ମୋ ଟଙ୍କାରେ କିଣାହେବ। ବାବା ମୋ କଥା ଶୁଣି ହସିଲେ। ଶେଷରେ ପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରିଲା ବେଳକୁ ହୁଣ୍ଡିରେ ଶହେଟଙ୍କିଆ ନୋଟ୍ଟିଏ ପକେଇବା ସହିତ ମୁକ୍ତିମଣ୍ଡପରେ ଯଥାଶକ୍ତି ଦେଇ ଖୁସିରେ ମୁଣ୍ଡିଆ ମାରି ଆସିଥିଲି। ଫେରିବା ବାଟରେ ସାହି ଠାକୁରାଣୀଙ୍କ ପାଖରେ ଦୀପଟିଏ ବସେଇ ଫୁଲ ଆଉ ଫଳ କିଣି ମା’ଙ୍କ ପାଖେ ଭୋଗ କରିଥିଲି। ଘର ଦିଅଁଙ୍କ ପାଇଁ ମଧ୍ୟ ଭୋଗ କିଣିଥିଲି। ତଥାପି ଆଉ ୧୭୦ ଟଙ୍କା ବଳିଥାଏ। ସେଇ ଟଙ୍କାରୁ ବାବାଙ୍କ ପାଇଁ ୧୫୦ ଟଙ୍କାର ଗୋଟେ ହ୍ୟାଣ୍ଡବ୍ୟାଗ୍, ୧୦ ଟଙ୍କା ଦେଇ ବୋଉ ପାଇଁ ପାଣିଚୁଡ଼ି ମୁଠାଏ ଓ ବଳକା ୧୦ ଟଙ୍କାରେ ୫୦ ପଇସିଆ କମଳା ମିଠେଇ ଆଣି ଘରର ସମସ୍ତଙ୍କୁ ବାଣ୍ଟିଥିଲି। ହ୍ୟାଣ୍ଡବ୍ୟାଗ୍ ପାଇ ବାବା ସେଦିନ ଖୁସିରେ ମୋତେ ଗୋଟିଏ ରେଡ଼ିଓ ଉପହାର ଦେଇଥିଲେ; ଯାହା ମୋ ପାଇଁ ଅମୂଲ ମୂଲ। ଆଜି ବାବା ମୋ ପାଖରେ ନାହାନ୍ତି ସତ କିନ୍ତୁ ସେ ଦେଇଥିବା ରେଡ଼ିଓ ଏବଂ ମୁଁ ଦେଇଥିବା ହାଣ୍ଡବ୍ୟାଗ୍କୁ ଦେଖିଦେଲେ ବାବା ମୋ ନିକଟରେ ଥିଲାଭଳି ଅନୁଭବ ହୁଏ।