ପୁଣି ଗର୍ଜିଲେ ଯୁକ୍ତ ଦୁଇ ଛାତ୍ରୀଛାତ୍ର: ବାତିଲ ହେଉ ପରୀକ୍ଷା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ପରୀକ୍ଷା କେବେ ହେବ ଏଯାବତ୍‌ ସ୍ଥିର ହୋଇ ନାହିଁ, ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅନେକ ଅସୁବିଧା ହେବ । ତେଣୁ ଶୀଘ୍ର ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଉ। ଏପରି ଦାବି କରି ସୋମବାର ପୁଣି ଥରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଯୁକ୍ତ ଦୁଇ ଛାତ୍ରୀଛାତ୍ର ଧାରଣାରେ ବସିଛନ୍ତି। ୧୦ ଦିନ ଭିତରେ ଯଦି କିଛି ନିଷ୍ପତ୍ତି ନ ନିଆଯାଏ, ତେବେ ୧୦ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, କରୋନା ଯୋଗୁ ମାଟ୍ରିକ ପରିକ୍ଷା ବାତିଲ ପରେ ଯୁକ୍ତ ଦୁଇ  ପରୀକ୍ଷା ବାତିଲ ଦାବିରେ ଗତ ୨୨ ତାରିଖରେ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇଥିଲେ । ମାତ୍ର ସେତେବେଳେ ମନ୍ତ୍ରୀ ଆଶ୍ୱାସନା ଦେଇ ପିଲାମାନେ ପାଠ ଉପରେ ମନୋନିବେଶ କରନ୍ତୁ। ବାତାବରଣ ଠିକ୍‌ ହେଲେ ପରୀକ୍ଷା ହେବା ସ୍ବାଭାବିକ ବୋଲି କହିଥିଲେ। ହେଲେ ଏ ଯାଏ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ପୁଣି ଥରେ ଆନ୍ଦୋଳନାକୁ ଓହ୍ଲାଇଛନ୍ତି ଛାତ୍ରୀଛାତ୍ର। ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ମଧ୍ୟ ଦେଇଛନ୍ତି । ପିଲାଙ୍କ ଦାବିକୁ ସମର୍ଥନ କରି ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତା ମଧ୍ୟ ପ୍ରତିବାଦ ସଭାରେ ସାମିଲ ହୋଇଛନ୍ତି ।

Share