ଗେ’ ଚାଟ୍‌ ଆପ୍‌ରେ ଫସାଇ ଲୁଟୁଥିଲେ

ଭୁବନେଶ୍ୱର,୧୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗ୍ରୀଣ୍ଡର ଗେ’ ଚାଟ୍‌ ଆପ୍‌ରେ ଯୁବକଙ୍କ ସହ ଚାଟିଂ କରୁଥିଲେ। ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ମଉଜମସ୍ତି ପାଇଁ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକୁଥିଲେ। ଏହାପରେ ଯୁବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଘରକୁ ଡାକି ନେଇ ନିର୍ଯାତନା ଦେଉଥିଲେ। ଉଲଗ୍ନ କରି ମାଡ ମାରିବା ସହ ପାଖରେ ଥିବା ଟଙ୍କା, ସୁନା ଚେନ୍‌ ଛଡାଇ ନେଉଥିଲେ। ଏପରିକି ମାଡ ବେଳର ଭିଡିଓ ଶୁଟ୍‌ କରି ଭାଇରାଲ ଧମକ ଦେଇ ଫୋନ୍‌ ପେ ଜରିଆରେ ଆକାଉଣ୍ଟରୁ ବି ଟଙ୍କା ଟ୍ରାନ୍ସଫର କରିନେଉଥିଲେ। ରାଜଧାନୀରେ କିଛିଦିନ ସକ୍ରିୟ ଥିବା ଏପରି ଏକ ଗ୍ୟାଙ୍ଗକୁ ଲିଙ୍ଗରାଜ ଥାନା ପୋଲିସ ଧରିଛି। ଏହି ଗ୍ୟାଙ୍ଗରେ ୪ଜଣ ନାବାଳକ ଓ ଜଣେ ସାବାଳକ ରହିଛନ୍ତି। ଦୁଇଟି ଅଭିଯୋଗ ଆଧାରରେ ପୋଲିସ ପୃଥକ ମାମଲା ରୁଜୁ କରି ସମସ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ଗଞ୍ଜାମର ଏ. ମନୋଜ ଦୋରାଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ବୁଲେଟ, ୩୪ ହଜାର ଟଙ୍କା ଟଙ୍କା ଜବତ କରାଯାଇଛି। ଏଥିସହ ସାଇବର ସେଲ୍‌ ସହାୟତାରେ ୮୫,୧୩୭ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଛି। ତେବେ ଧରାପଡିଥିବା ଅଭିଯୁକ୍ତମାନେ ଲୁଟ୍‌ ଟଙ୍କାକୁ ମିଶାଇ କିସ୍ତିରେ ଏକ ଆଇଫୋନ କିଣିଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେବେ ଏଭଳି କେତେ ଜଣଙ୍କୁ ଆକ୍ରମଣ କରି ଟଙ୍କା ନେଇଛନ୍ତି ତାହାର ଅଧିକ ଖୋଳତାଡ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ସୂଚନାନୁସାରେ, ବଡଗଡ ଥାନା ଅଞ୍ଚଳର ଜଣେ ଯୁବକ ଗ୍ରୀଣ୍ଡର ଗେ’ ଚାଟ୍‌ ଆପ୍‌ ଜରିଆରେ ଚାଟ୍‌ କରୁଥିବାବେଳେ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗରେ ଆସିଥିଲେ। ସମ୍ପର୍କ ବଢିବା ପରେ ଅଭିଯୁକ୍ତମାନେ ତାଙ୍କୁ ଖାଇବା ଦେବା ପାଇଁ ଗ୍ୟାରେଜ ଛକକୁ ଡାକିଥିଲେ। ଏହାପରେ ଧରାପଡିଥିବା ୫ ଅଭିଯୁକ୍ତ ଗ୍ୟାରେଜ ଛକ ଅଞ୍ଚଳରେ ଥିବା ଏକ ଟିଣଘରକୁ ନେଇ ସାଇକେଲ ଚେନ, ପ୍ଲାଷ୍ଟିକ ପାଇପ, କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା ଚନେ୍‌ ଆଦି ଲୁଟିନେବନା ପରେ ଧମକ ଦେଇ ଛାଡ଼ିଥିଲେ। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ବାମ କାନର ପରଦା ଫାଟିଯିବାରୁ ତାଙ୍କୁ କିଛି ଶୁଭୁନାହିଁ। ତେବେ ଚିକିତ୍ସା ପରେ ସେ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ସେହିପରି ମେଣ୍ଢାଶାଳସ୍ଥିତ ସିଏଚ୍‌ସିରେ ବ୍ଲକ ଡାଟା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ କୁମାର ବିଶ୍ୱାଳ ଘରକୁ ଫେରୁଥିବାବେଳେ ଗ୍ୟାଙ୍ଗ୍‌ର ଜଣେ ଯୁବକ ଲିଫ୍ଟ ମାଗି ତାଙ୍କ ସହ ଆସିଥିଲେ। କିଛିବାଟ ଆସିବା ପରେ ବାଟରେ ତାଙ୍କୁ ଥଣ୍ଡା ପିଇବାକୁ ଦେଇ ସମ୍ପର୍କରେ ବଢ଼ାଇଥିଲେ। ଏଥିସହ ତାଙ୍କୁ ଉକ୍ତ ଘରକୁ ଡାକିନେଇ ମିଳିମିଶି ମାଡ ମାରିବା ସହ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା, ମୋବାଇଲ ଫୋନ୍‌ ଆଦି ନେଇଯାଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଗ୍ୟାଙ୍ଗ୍‌କୁ ଠାବ କରିଥିଲା।

Share