ଗାୟତ୍ରୀ ସରାଫ ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ

କଟକ,୧୮ା୮(କାର୍ତ୍ତିକ ସାହୁ): ଓଡ଼ିଆ ଲେଖିକା ଗାୟତ୍ରୀ ସରାଫଙ୍କୁ ଚଳିତ ବର୍ଷର ସରଳା ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏଥିସହ ପଦ୍ମଶ୍ରୀ ସାବରମତୀ ଓ ନାରୀନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ସରଳା ଦେବୀ ସେବା ସମ୍ମାନ ପ୍ରଦାନ କରାଯିବ। ସରଳା ଦେବୀ ସ୍ମୃତି ସଂସଦ ପକ୍ଷରୁ ସ୍ବାଧୀନତା ସଂଗ୍ରାମୀ ତଥା ସୁଲେଖିକା ସରଳା ଦେବୀଙ୍କ ଜୟନ୍ତୀ ପାଳନ ଅବସରରେ ଆସନ୍ତା ୧୯ ତାରିଖରେ କଟକ ସାରଳା ଭବନଠାରେ ହେବାକୁ ଥିବା ଉତ୍ସବରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ସଂସଦର ସମ୍ପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର ପ୍ରେସ୍‌ ଇସ୍ତାହାରରେ ସୂଚନା ଦେଇଛନ୍ତି।
ଗାୟତ୍ରୀ ସରାଫ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାବରେ ଲେଖନୀ ଚାଳନା କରି ଜଣେ ପ୍ରତିଶ୍ରୁତିବଦ୍ଧ ଗାଳ୍ପିକା ଭାବରେ ସୁପରିଚିତ। ତାଙ୍କ ଲେଖନୀ ନିସୃତ ଆଲୋକିତ ଅନ୍ଧାର, ଆଇନାର ଜହ୍ନ, ପ୍ରେମିକା ପରି କେହି ଜଣେ, ଇଟାଭାଟିର ଶିଳ୍ପୀ, ପଣତକାନିରେ ଘର, କଥା ସମଗ୍ର -୧ ଆଦି ୨୪ ଖଣ୍ଡ ଉଲ୍ଲେଖନୀୟ ଗ୍ରନ୍ଥ ତାଙ୍କର କୃତିର ସ୍ବାକ୍ଷର। ସେହିପରି ପଦ୍ମଶ୍ରୀ ସାବରମତୀ ଜଣେ ସଫଳ ପରିବେଶବିତ୍‌ ଭାବେ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟରତ। ନାରୀନେତ୍ରୀ ସ୍ମୃତି ପଟ୍ଟନାୟକ ଜଣେ ଦକ୍ଷ ସଙ୍ଗଠିକା ଓ ରାଜନୀତିଜ୍ଞ ଭାବେ ନିଜକୁ ସଫଳ ଭାବେ ପ୍ରତିପାଦିତ କରିପାରିଛନ୍ତି।