Categories: ଖେଳ

ପ୍ରି କ୍ୱାର୍ଟରରେ ଗାୟତ୍ରୀ-ତ୍ରିସା

କୋପେନ୍‌ହାଗେନ୍‌, ୨୪ା୮(ପି.ଟି.): କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ଡବଲ୍ସର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲି।

ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଭାରତୀୟ ଯୋଡି ବୁଧବାର ଚାଇନିଜ୍‌ ତାଇପେର ଚାଙ୍ଗ ଚିଙ୍ଗ ହୁଇ ଓ ୟାଙ୍ଗ ଚିଙ୍ଗ ଟୁନ୍‌ଙ୍କୁ ୨୧-୧୮ ଓ ୨୧-୧୦ରେ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୧୯ତମ ସ୍ଥାନରେ ଥିବା ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଓପନ ସେମିଫାଇନାଲିଷ୍ଟ ଭାରତୀୟ ଯୋଡି ବିଶ୍ୱ ମାନ୍ୟତାର ୩୭ ତମ ସ୍ଥାନରେ ଥିବା ଚାଙ୍ଗ ଚିଙ୍ଗ ହୁଇ ଓ ୟାଙ୍ଗ ଚିଙ୍ଗ ଟୁନ୍‌ଙ୍କୁ ସିଧାସଳଖ ସେଟ୍‌ରେ ମାତ୍ର ୩୮ ମିନିଟ ସମୟ ନେଇ ପରାସ୍ତ କରିଥିଲେ। ରାଜ୍ୟ ଗୋଷ୍ଠୀ କ୍ରୀଡାର ବ୍ରୋଞ୍ଜ ପଦକ ବିଜୟିନୀ ଗାୟତ୍ରୀ-ତ୍ରିସା ଯୋଡି ଆରମ୍ଭରୁ ୨-୫ରେ ପଛୁଆ ରହିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ୮-୬ରେ ଆଗୁଆ ହୋଇଥିଲେ। ଚାଙ୍ଗ-ୟାଙ୍ଗ ଯୋଡି ମ୍ୟାଚକୁ ୮-୮କୁ ଆଣିବା ସହିତ ୧୧-୯ରେ ଆଗୁଆ ରହିଥିଲେ। ତେବେ ଗାୟତ୍ରୀଙ୍କ ପ୍ରତ୍ୟୁତ୍ପନ୍ନମତିତା କାରଣରୁ ଭାରତ ଲଗାତର ଦୁଇଟି ପଏଣ୍ଟ ଅର୍ଜନ କରି ୧୪-୧୧ରେ ଆଗୁଆ ରହିଥିଲା। ପ୍ରଥମ ସେଟ୍‌କୁ ୨୧-୧୮ରେ ଜିତିବା ପରେ ପ୍ରତିପକ୍ଷ ଯୋଡିକୁ ସୁଯୋଗ ଦେଇ ନ ଥିଲେ ଗାୟତ୍ରୀ-ତ୍ରିସା। ଦ୍ୱିତୀୟ ସେଟ୍‌କୁ ୨୧-୧୦ରେ ଏକ ପାଖିଆ ଭାବରେ ଜିତିବା ସହିତ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲେ।

ଦ୍ୱିତୀୟ ସେଟ୍‌ରେ ସାଇଡ୍‌ ପରବର୍ତ୍ତନ ହେବା ପରେ ଗାୟତ୍ରୀ-ତ୍ରିସା ଯୋଡି ଆରମ୍ଭରୁ ୮-୫ରେ ଆଗୁଆ ରହିଥିଲେ। ଉଭୟ ସମାନ ପ୍ରଦର୍ଶନ ବଜାୟ ରଖି ୧୪-୮ରେ ଆଗୁଆ ରହିବା ସହିତ ଚାଇନିଜ୍‌ ତାଇପେ ଖେଳାଳିଙ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲେ। ପରବର୍ତ୍ତୀ ରାଉଣ୍ଡରେ ଟୁର୍ନାମେଣ୍ଟର ଟପ୍‌ ସିଡେଡ୍‌ ଖେଳାଳି ଚାଇନାର ଚେନ୍‌ କ୍ୱିଙ୍ଗ ଚେନ୍‌ ଓ ଜିଆ ୟି ଫାନଙ୍କୁ ଭେଟିବେ ଗାୟତ୍ରୀ-ତ୍ରିସା।

Share