ଗାଜା ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା

ରାଫାହ,୨୩ା୧୨: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଆକ୍ରମଣକୁ ୭୭ ଦିନ ବିତିଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଇତିମଧ୍ୟରେ ଇସ୍ରାଏଲୀ ସୈନ୍ୟଙ୍କ ଆକ୍ରମଣରେ ଗାଜାର ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ସ୍ତରରୁ ଚାପ ସତ୍ତ୍ୱେ ଇସ୍ରାଏଲ୍‌ ସ୍ଥଳଭାଗରେ ଆକ୍ରମଣ ବଢ଼ାଇଛି। ହଜାର ହଜାର ଲୋକଙ୍କୁ ଘର ଛାଡ଼ି ପଳାଇଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧ ପୂର୍ବରୁ ଗାଜାର ଜନସଂଖ୍ୟା ଯାହା ଥିଲା, ତା’ର ୧ ପ୍ରତିଶତ ଆକ୍ରମଣରେ ପ୍ରାଣ ହରାଇଲେଣି। ଗାଜାର ପାଖାପାଖି ୮୫ ପ୍ରତିଶତ ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ରହିଛନ୍ତି। ଜନସଂଖ୍ୟାର ଏକ-ଚତୁର୍ଥାଂଶରୁ ଅଧିକ ଲୋକ ଭୋକରେ ରହିଥିବା ଜାତିସଂଘ ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ହଠାତ୍‌ ଆକ୍ରମଣ କରିବାରୁ ଏହାର ଜବାବରେ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସରକାର ଯୁଦ୍ଧ ଘୋଷଣା କରିଥିଲେ। କ୍ରମାଗତ ଭାବେ ଆକାଶମାର୍ଗରୁ ବୋମାମାଡ଼ ଓ ସ୍ଥଳଭାଗରେ ଆକ୍ରମଣ ଯୋଗୁ ଗାଜା ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହେଲାଣି। ବହୁସଂଖ୍ୟାରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଅସ୍ତ୍ରବିରତି ପାଇଁ ଚାଲିଥିବା ଉଚ୍ଚସ୍ତରୀୟ ଆଲୋଚନା ଫଳପ୍ରଦ ହୋଇପାରି ନାହିଁ। ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଅଣାଯାଇଥିବା ପ୍ରସ୍ତାବ ଉପରେ ଆମେରିକା ଭିଟୋ ପ୍ରୟୋଗ କରିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ପ୍ରସ୍ତାବରେ ସଂଶୋଧନ କରିବାକୁ ଆମେରିକା ଚାହୁଁଛି, ଯାହା ଦ୍ୱାରା ଯୁଦ୍ଧ ତୁରନ୍ତ ବନ୍ଦ ନ ହୋଇ ସର୍ତ୍ତମୂଳକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ। ଭୋଟ ପୂର୍ବରୁ କୂଟନୀତିଜ୍ଞମାନେ ସେମାନଙ୍କ ସରକାରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ଯୁଦ୍ଧ ବନ୍ଦ କରିବାରେ ବିଶ୍ୱର ନିଷ୍କ୍ରିୟତାକୁ ନେଇ ଜାତିସଂଘ ମାନବୀୟ ବ୍ୟାପାର ମୁଖ୍ୟ ମାର୍ଟିନ୍‌ ଗ୍ରିଫିଥ୍ସ କ୍ଷୋଭ ପ୍ରକାଶ କରିଛନ୍ତି। ଇସ୍ରାଏଲ୍‌ ପଛରେ ଆମେରିକାର ସମର୍ଥନ ଥିବାରୁ ଏହାର ଅନ୍ତର୍ଜାତୀୟ ଚାପକୁ ଏଡ଼ାଇଯାଉଛି।

Share