ଗାଜାରେ ଉତ୍କଟ ଜଳସଙ୍କଟ

ଗାଜା ସିଟି,୧୮ା୧୦: ଯୁଦ୍ଧ ପ୍ରଭାବିତ ଗାଜା ଷ୍ଟ୍ରିପ୍‌ରେ ଉତ୍କଟ ଜଳାଭାବ ଦେଖାଦେଇଛି। ପାନୀୟ ଜଳ ଅଭାବରୁ ସେଠାରେ ମାନବ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜଳ ସଙ୍କଟରୁ ଲୋକଙ୍କ ଜୀବନ ଯାଇପାରେ ବୋଲି ଜାତିସଂଘର ପାଲେଷ୍ଟାଇନ୍‌ ଦାୟିତ୍ୱରେ ଥିବା ଫିଲିପେ ଲାଜାରନିନି କହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ୍‌ ଗାଜାକୁ ମୁଖ୍ୟ ଜଳଯୋଗାଣ ପାଇପ୍‌ଲାଇନକୁ ବିଚ୍ଛିନ୍ନ କରିଦେଇଛି। ଏଥିସହିତ ଭୂମଧ୍ୟସାଗରରୁ ପ୍ଲାଣ୍ଟ ଯୋଗେ ବିଶୋଧିତ ହେଉଥିବା ଜଳଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଗାଜାର ୪୭ ପ୍ରତିଶତ ଲୋକେ ଜଳ ବିନା ହାହାକାର କରୁଛନ୍ତି। ଜଳ ସମେତ ଇସ୍ରାଏଲ୍‌ ଗାଜାକୁ ବିଦ୍ୟୁତ୍‌ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛି। ସେଠାରେ ତେଲ ଓ ବିଜୁଳି ମଧ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଶେଷ ହେବାକୁ ଯାଉଛି। ପାନୀୟ ଜଳ ପାଇଁ ଲୋକଙ୍କୁ ଲାଇନ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ୁଛି। ଲୋକେ ବଞ୍ଚତ୍ବା ପାଇଁ ଲୁଣିପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦିନରେ ଜଳଯୋଗାଣ ବନ୍ଦ ରହିଲେ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ ବୋଲି କୁହାଯାଉଛି।
ଯୁଦ୍ଧରେ ୪,୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ଓ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ଗାଜା ଦକ୍ଷିଣ ଭାଗ ଛାଡ଼ି ପଳାଇଗଲେଣି। ଇସ୍ରାଏଲ୍‌ ବୋମାମାଡ଼ରେ ଗାଜା ଷ୍ଟ୍ରିପ୍‌ର ଅଧିକାଂଶ ଅଞ୍ଚଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଛି। ଗାଜାର ୫୦,୦୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀ ମହିଳା ଓ ଯୁଦ୍ଧ ଆହତମାନଙ୍କୁ ଔଷଧ ଓ ଡାକ୍ତରୀ ସେବା ମିଳୁ ନ ଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଯୁଦ୍ଧରେ ଆହତମାନଙ୍କୁ ଚିକିତ୍ସା ସୁବିଧା ନ ମିଳିବା ଯୁଦ୍ଧ ଆଇନ ଏବଂ ଅନ୍ତର୍ଜାତୀୟ ମାନବୀୟ ଆଇନର ଉଲ୍ଲଂଘନ ବୋଲି ଜାତିସଂଘ କହିଛି।

Share