ନୂଆଦିଲ୍ଲୀ,୨୮।୧୧ – କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଛି। ଏହା ଦ୍ୱାରା ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡିକ ସଙ୍କଟ ଦେଇ ଗତି କରୁଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ମଧ୍ୟ ଏଥିରୁ ବର୍ତ୍ତିପାରିନାହିଁ। ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୫% ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍ଏସ୍ଓ) ଶୁକ୍ରବାର ଏଭଳି ରିପୋର୍ଟ ଜାରି କରିଛି।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍ଡାଉନ କରିଥିଲେ। ଫଳରେ ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ)ରେ ଜିଡିପି -୨୩.୯% ହ୍ରାସ ପାଇଛି। ଏହା ଭାରତ ଇତିହାସରେ ରେକର୍ଡ ସ୍ତରରେ ଜିଡିପି ହ୍ରାସ। ମାତ୍ର ଦ୍ୱିତୀୟ ତ୍ରୈମାସରେ ଜିଡିପି ଅପେକ୍ଷାକୃତ କମ୍ ହ୍ରାସ ପାଇଛି। ଗତ ଆର୍ଥିକ ବର୍ଷ ସମାନ ସମୟରେ ଜିଡିପି ୪.୫% ବୃଦ୍ଧି ହୋଇଥିଲା। ସେହିଭଳି ଦେଶର ଗ୍ରସ୍ ଭାଲ୍ୟୁ ଆଡେଡ୍(ଜିଭିଏ) କଥା ବିଚାରକୁ ନେଲେ ଏହା ୭% ହ୍ରାସ ପାଇଛି। ଶୁକ୍ରବାର ପ୍ରକାଶିତ ଅନ୍ୟ ଡାଟା ମୁତାବକ, ଦେଶର ୮ କୋର୍ ସେକ୍ଟର ଶିଳ୍ପ ଅଭିବୃଦ୍ଧି ଗତ ବର୍ଷ ସମାନ ସମୟ ତୁଳନାରେ ୨.୫% ହ୍ରାସ ହୋଇଛି। କରୋନା ଭୂତାଣୁ ଅର୍ଥ ବ୍ୟବସ୍ଥାକୁ ଗଭୀର ଝଟ୍କା ଦେଇଛି। ଏଭଳି ସ୍ଥିତିରେ ଭାରତ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି।