Categories: ବାଣିଜ୍ୟ

୭% ରହିବ ଜିଡିପି ଅଭିବୃଦ୍ଧି ହାର

ଭୁବନେଶ୍ୱର,୨୩ା୧୦(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର(ଜିଡିପି) ଆକଳନକୁ ୭% ସ୍ଥିର ରଖିଛି। ଏହା ଜୁଲାଇ ଆକଳନ ସହିତ ମେଳ ଖାଉଥିବାବେଳେ ଆଇଏମ୍‌ଏଫ୍‌ କହିଛି , ମହାମାରୀ ସମୟରେ ଚାହିଦା ହ୍ରାସ ପାଉଛି। ଅନ୍ୟପଟେ ୨୦୨୪-୨୫ରେ ଭାରତରେ ମୁଦ୍ରାସ୍ଫୀତି ହାର ୪.୪% ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ଆସନ୍ତା ବର୍ଷ ଏହା ୪.୧%କୁ ଖସିଯାଇପାରେ। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୁଣ୍ଡ ପିଛା ଉତ୍ପାଦନ ୬% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏହା ବ୍ରାଜିଲ (୨.୬%), ରୁଷିଆ (୩.୮%), ଚାଇନା (୪.୯%) ଏବଂ ଆମେରିକା (୨.୩%) ଠାରୁ ଅଧିକ ବୋଲି ଦର୍ଶାଯାଇଛି। ଆଇଏମ୍‌ଏଫ୍‌ର ଏହି ଆକଳନ ଏପ୍ରିଲ ଆକଳନଠାରୁ ୦.୨ ପ୍ରତିଶତ ଅଧିକ ରହିଛି। ୨୦୨୫-୨୬ ପାଇଁ ୬.୫% ବିକଶିତ ଏବଂ ଉଦୀୟମାନ ଅର୍ଥନୀତି ତୁଳନାରେ ଏହି ଆକଳନ ଅଧିକ। ୨୦୨୪ରେ ବିଶ୍ୱ ଅର୍ଥନୀତି ୩.୨% କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି, ଯାହାକି ପୂର୍ବ ବର୍ଷ ୩.୩% ଥିଲା। ମଙ୍ଗଳବାର ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣ ଅନୁଯାୟୀ, ଭାରତରେ ଜିଡିପି ଅଭିବୃଦ୍ଧି ହାର ୨୦୨୩ରେ ୮.୨% ଥିବାବେଳେ ୨୦୨୪ରେ ୭% ଏବଂ ୨୦୨୫ରେ ୬.୫%କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଘରୋଇ ଚାହିଦା ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ୭.୨% ଅଭିବୃଦ୍ଧି ହାର ଧାର୍ଯ୍ୟ କରିଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଶ୍ୱବ୍ୟାଙ୍କ ମଧ୍ୟ ଭାରତରେ ୭% ଅଭିବୃଦ୍ଧିର ଆକଳନ କରିଛି। ଆଇଏମ୍‌ଏଫ୍‌ ରିପୋର୍ଟରେ ଚାଇନାର ଅଭିବୃଦ୍ଧି ୪.୮% କୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ୨୦୨୪ ପାଇଁ ବ୍ରାଜିଲ ଏବଂ ଅର୍ଥନୈତିକ ଉତ୍ପାଦନ ଆକଳନକୁ ୩% ଏବଂ ୩.୬% ପର୍ଯ୍ୟନ୍ତ ସଂଶୋଧନ କରାଯାଇଛି। ଆମେରିକା ପାଇଁ ମଧ୍ୟ ଏହି ଆକଳନ ୨.୮% କୁ ବୃଦ୍ଧି ପାଇଛି।

Share