Categories: ଜାତୀୟ

ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ

ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି ଯେ ଗୀତା ପ୍ରେସ କୌଣସି ପ୍ରକାର ଦାନ ନେଇ ନ ଥାଏ।ସେଥିପାଇଁ ଗୀତା ପ୍ରେସ ଟ୍ରଷ୍ଟ କୌଣସି ଅନୁଦାନ ଅଥବା ପୁରସ୍କାରର ଧନରାଶି ସ୍ବୀକାର କରି ନ ଥାଏ।
ଗୀତାପ୍ରେସର ପ୍ରବନ୍ଧକ ଡକ୍ଟର ଲାଲମଣିି ତିୱାରୀ କହିଛନ୍ତି ଯେ ଗୀତା ପ୍ରେସ ପ୍ରତିଷ୍ଠା ସମୟରେ ଏହାର ପ୍ରତିଷ୍ଠାତା ସେଠଜୀ ଜୟଦୟାଲ ଗୋୟନ୍ଦକା ନିଷ୍ପତ୍ତି ନେଇଛନ୍ତି ଯେ ଏହି ପ୍ରେସ ଚଳାଇବା ପାଇଁ କୌଣସି ସହଯୋଗ କିମ୍ବା ଦାନ ନିଆଯିବ ନାହିଁ। ସେଥିପାଇଁ ଗୀତା ପ୍ରେସ କୌଣସି ଅନୁଦାନ କିମ୍ବା ପୁରସ୍କାର ରାଶି ଗ୍ରହଣ କରେ ନାହିଁ । ପ୍ରେସ ଗାନ୍ଧୀ ଶାନ୍ତି ସମ୍ମାନ ଟଙ୍କା ଗ୍ରହଣ କରିବ ନାହିଁ କିନ୍ତୁ ଆନନ୍ଦରେ ସମ୍ମାନ ଗ୍ରହଣ କରିବ।
ସୂଚନାଯୋଗ୍ୟ, ଗୋରଖପୁରର ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧ ପ୍ରଦାନ କରାଯିବ ବୋଲି ସଂସ୍କୃତି ମନ୍ତ୍ରଣାଳୟ ଘୋଷଣା କରିଛି। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୀତା ପ୍ରେସକୁ ୨୦୨୧ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତା ପ୍ରେସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛ। ୧୯୨୩ରେ ପ୍ରତିଷ୍ଠିତ ଗୀତା ପ୍ରେସ ବିଶ୍ୱର ସବୁଠୁ ବଡ ପ୍ରକାଶକ ମଧ୍ୟରୁ ଗୋଟିଏ, ଯେଉଁଥିରେ ୧୪ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରିଛି। ଏଥିମଧ୍ୟରେ ୧୬.୨୧ କୋଟି ଶ୍ରୀମଦ ଭଗବଦ ଗୀତା ଅନ୍ତର୍ଭୁକ୍ତ । ସଂସ୍ଥା ରାଜସ୍ବ ପାଇଁ ପ୍ରକାଶନରେ କେବେବି ବିଜ୍ଞାପନ ଛାପି ନାହିଁ ।

Share