ବୁକର ଦୌଡ଼ରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’

ଲଣ୍ଡନ,୮ା୪:ସୁନାମଧନ୍ୟା କଥାକାର ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନିତ ହୋଇଛି। ଲଣ୍ଡନର ବୁକର ଫେୟାରରେ ଗୁରୁବାର ଏନେଇ ଘୋଷଣା କରାଯାଇଛି। ଉକ୍ତ ଅନ୍ତର୍ଜାତୀୟ ପୁରସ୍କାର ପାଇବା ପାଇଁ ତାଲିକାରେ ସୂଚୀବଦ୍ଧ ହେବାରେ ଏହା ହେଉଛି ପ୍ରଥମ ହିନ୍ଦୀ ଫିକ୍ସନ। ଏବେ ବିଶ୍ୱର ଅନ୍ୟ ୫ ଶ୍ରେଷ୍ଠ କୃତି ସହ ଏହାର ପ୍ରତିଯୋଗିତା ହେବାକୁ ଯାଉଛି। ଫାଇନାଲରେ ଉତ୍ତୀର୍ଣ୍ଣ ହେଲେ ‘ବାଲିର ସମାଧି’ ଏହି ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିବ।
୧୯୫୭ରେ ଉତ୍ତର ପ୍ରଦେଶର ମୈନପୁରୀରେ ଜନ୍ମିତ ତଥା ନୂଆଦିଲ୍ଲୀରେ ରହୁଥିବା ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀ ଅନେକ କ୍ଷୁଦ୍ରଗଳ୍ପ ଓ ୫ଟି ଉପନ୍ୟାସ ରଚନା କରିଛନ୍ତି। ୬୪ ବର୍ଷୀୟା ଗୀତାଞ୍ଜଳିଙ୍କ ଅନେକ ପୁସ୍ତକ ଇଂଲିଶ, ଫରାସୀ, ଜର୍ମାନ, ସର୍ବିଆନ୍‌ ଓ କୋରିଆନ୍‌ ଭାଷାରେ ଅନୂଦିତ ହୋଇଛି। ତାଙ୍କ ଉପନ୍ୟାସ ‘ରେତ୍‌ କୀ ସମାଧି’ (୨୦୧୮) ଆମେରିକୀୟ ପେଣ୍ଟର ତଥା ଲେଖିକା ଡେଜି ରକ୍‌ଓ୍ବେଲ ଇଂଲିଶ୍‌ ଭାଷାରେ ଅନୁବାଦ କରିଛନ୍ତି। ଡେଜି ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ଅନେକ ସାହିତ୍ୟ କୃତିକୁ ଅନୁବାଦ କରିଛନ୍ତି। ଏହି ଅନୁଦିତ ପୁସ୍ତକକୁ ବୁକର ବିଚାରକମାନେ ‘ଉଚ୍ଚକୋଟୀର ଓ ଅକାଟ୍ୟ’ ବୋଲି ଅଭିହିତ କରିଛନ୍ତି। ଟମ୍ବ ଅଫ୍‌ ସ୍ୟାଣ୍ଡ ଫାଇନାଲରେ ଯୋଗ୍ୟ ବିବେଚିତ ହେଲେ ପୁରସ୍କାର ବାବଦକୁ ୫୦,୦୦୦ ପାଉଣ୍ଡ (୪୯,୫୭,୬୯୯ ଟଙ୍କା) ପ୍ରଦାନ କରାଯିବ। ପୁରସ୍କାର ରାଶିକୁ ଲେଖିକା ଗୀତାଞ୍ଜଳି ଶ୍ରୀ ଏବଂ ଅନୁବାଦିକା ଡେଜି ରକ୍‌ଓ୍ବେଲଙ୍କ ମଧ୍ୟରେ ଦୁଇଭାଗ କରାଯିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ମନୋନୀତ ହୋଇଥିବା ଲେଖକ ଓ ଅନୁବାଦକଙ୍କୁ ୨,୫୦୦ ପାଉଣ୍ଡ ଲେଖାଏ ଦିଆଯିବା ପାଇଁ ସ୍ଥିର କରାଯାଇଛି, ଯାହାକି ପୂର୍ବରୁ ୧,୦୦୦ ପାଉଣ୍ଡ ଥିଲା। ଆସନ୍ତା ମେ’ ୨୬ରେ ଲଣ୍ଡନରେ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୨ ପାଇଁ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଲଣ୍ଡନ ବୁକ୍‌ ଫେୟାରରେ ଚୂଡ଼ାନ୍ତ ତାଲିକା ଘୋଷଣା କରାଯାଇଛି। ଗୀତାଞ୍ଜଳି ଶ୍ରୀଙ୍କ ଟମ୍ବ ଅଫ୍‌ ସ୍ୟାଣ୍ଡ ଏକ ପ୍ରେରଣାଦାୟକ ଉପନ୍ୟାସ, ଯାହାକି ଜଣେ ୮୦ ବର୍ଷୀୟା ମହିଳାଙ୍କ ଜୀବନ ଓ ବିସ୍ମୟକର ଅତୀତକୁ ନେଇ ଗତିଶୀଳ ହୋଇଛି।
ଦୌଡ଼ରେ ଥିବା ଅନ୍ୟ ୫ ଉପନ୍ୟାସ ହେଲା ବୋରା ଚୁଙ୍ଗ୍‌ଙ୍କ କ୍ରୁସେଡ୍‌ ବୁନି, ଜନ୍‌ ଫୋସେଙ୍କ ଏ ନ୍ୟୁ ନେମ୍‌: ସେପ୍ଟୋଲୋଜି ୬ଷ୍ଠ-୭ମ, ମିଏକୋ କାଓ୍ବାକାମିଙ୍କ ହେଭେନ୍‌, କ୍ଲାଉଡିଆ ପିନେରିଓଙ୍କ ଏଲେନା ନୋଜ୍‌ ଏବଂ ଓଲ୍‌ଗା ଟୋକାର୍ଜୁକ୍‌ଙ୍କ ପୁସ୍ତକ ଦି ବୁକ୍‌ ଅଫ୍‌ ଜାକୋବ୍‌।

Share