ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ,୧୭ା୯: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।
ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ସାମ୍ବାଦିକା ଥିଲେ। ସେ ଆମେରିକାର ବିଶିଷ୍ଟ ପ୍ରକାଶକ ସୋନୀ ମେହେଟ୍ଟାଙ୍କୁ ୧୯୬୫ରେ ବିବାହ କରିଥିଲେ। ୨୦୧୯ରେ ସୋନୀଙ୍କ ପରଲୋକ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି। ଗୀତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ। ଗୀତା ୧୯୪୩ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟେନର କ୍ୟାମ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିବା ଗୀତା ୫ଟି ପୁସ୍ତକର ରଚୟିତା। ସେଗୁଡ଼ିକ ହେଲା ‘କର୍ମ କୋଲା’, ‘ସ୍ନେକ୍‌ ଆଣ୍ଡ୍‌ ଲାଡର୍ସ’, ‘ଏ ରିଭର ସୂତ୍ର’, ‘ରାଜ୍‌’ ଏବଂ ‘ଦି ଇଣ୍ଟରନାଲ ଗଣେଶ’। ଇଂଲିଶ୍‌ରେ ଲିଖିତ ଏହି ପୁସ୍ତକଗୁଡ଼ିକ ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଥିଲା। ଏହି ଉପନ୍ୟାସଗୁଡ଼ିକ ୨୧ଟି ଭାଷାରେ ଅନୁଦିତ ହୋଇ ଭାରତ ସମେତ ଆମେରିକା ଏବଂ ୟୁରୋପରେ ବେଷ୍ଟ ସେଲର ତାଲିକାରେ ସ୍ଥାନ ପାଇଥିଲା। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ପ୍ରଯୋଜିତ ୧୪ଟି ଟେଲିଭିଜନ ବୃତ୍ତଚିତ୍ର ବ୍ରିଟେନ, ୟୁରୋପ ଓ ଆମେରିକାର ବିଭିନ୍ନ ଚ୍ୟାନେଲଗୁଡ଼ିକର ପ୍ରଦର୍ଶିତ ହୋଇଥିଲା। ୧୯୭୦-୭୧ରେ ସେ ଆମେରିକୀୟ ଟେଲିଭିଜନ ନେଟ୍‌ଓ୍ବର୍କ ଏନ୍‌ବିସି ପାଇଁ ଓ୍ବାର କରସ୍‌ପେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସଂଯୋଜନାରେ ବାଂଲାଦେଶ ମୁକ୍ତି ସଂଗ୍ରାମ ଉପରେ ଆଧାରିତ ଚଳଚ୍ଚିତ୍ର ସଂକଳନ ଦେଶ ଏବଂ ବିଦେଶର ସିନେମା ହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା। ଗୀତାଙ୍କ ପରଲୋକରେ ରାଜ୍ୟପାଳ ଗଣେଶୀ ଲାଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଇଂଲିଶ ଲେଖିକା ଗୀତା ମେହେଟ୍ଟାଙ୍କ ବିୟୋଗରେ ସେ ଶୋକ ସନ୍ତପ୍ତ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।

Share