Categories: ଜାତୀୟ

କୋର୍ଟ ପରେ ଏବେ ରାଜଭବନରୁ ଗେହଲଟଙ୍କୁ ଝଟ୍‌କା

ଜୟପୁର,୨୪।୭: ରାଜସ୍ଥାନର ରାଜନୈତିକ ସଙ୍କଟରେ ବର୍ତ୍ତମାନ ରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ଜଣାପଡ଼ିଛି। କାରଣ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଆୟୋଜିତ କରିବାକୁ ରାଜ୍ୟପାଳଙ୍କୁ ନିବେଦନ କରିଥିଲେ। କିନ୍ତୁ ରାଜ୍ୟପାଳ ଏନେଇ କୌଣସି ନିଷ୍ପତ୍ତି ନେଇ ନ ଥିବା ସୂଚନା ରହିଛି। କୁହାଯାଉଛି ରାଜ୍ୟପାଳ କଲରାଜ ମିଶ୍ର ବର୍ତ୍ତମାନ କରୋନା ସଙ୍କଟକୁ ଅସ୍ତ୍ର କରି ଏହାକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଭାଜପା ଓ କଂଗ୍ରେସ ବିଧାୟକମାନେ ବର୍ତ୍ତମାନ କରୋନାରେ ପୀଡ଼ିତ ଅଛନ୍ତି। ଏଭଳି ସ୍ଥିତିରେ ବିଧାନସଭା ଅଧିବେଶନ ଡାକିବା ଠିକ ହେବ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି। ତେବେ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ଆସିନାହିଁ। ପୂର୍ବରୁ ଗେହଲଟଙ୍କ ଗୋଷ୍ଠୀକୁ ହାଇକୋର୍ଟଠାରୁ ଝଟ୍‌କା ଲାଗିଥିବା ବେଳେ ଏବେ ରାଜଭବନରୁ ମଧ୍ୟ କୌଣସି ଆଶା ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଗେହଲଟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁଥିରେ ତୁରନ୍ତ ବିଧାନସଭା ଅଧିବେଶନକୁ ଡାକିବା ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇପାରେ।

Share