Categories: ଜାତୀୟ

ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେନି ଗେହଲଟ: ଭାଜପା

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ଶେଷରେ ଅନ୍ତ ଘଟିଛି। ସମସ୍ତ ପଦ ହରାଇବାକୁ ପଡିଛି ପାଇଲଟଙ୍କୁ। ଏପଟେ ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରିବାକୁ ପହଞ୍ଚିଛନ୍ତି ଗେହଲଟ। ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରଥମ ପ୍ରତିକ୍ରିୟା ମିଳିଛି। ଯେଉଁଥିରେ ଭାଜପା ନେତା ଶାହନବାଜ ହୁସେନ କହିଛନ୍ତି କଂଗ୍ରେସ ସଚିନ ପାଇଲଟଙ୍କୁ ଅପମାନିତ କରିଛି। ଏବେ ରାଜସ୍ଥାନରେ କଂଗ୍ରେସ ନିକଟରେ ବହୁମତ ନାହିଁ। ହେଲେ ସେ ପାଇଲଟଙ୍କୁ ସମସ୍ତ ପଦରୁ ହଟାଇ ଦେଇଛି। କିନ୍ତୁ ଅଶୋକ ଗେହଲଟ ମଧ୍ୟ ଆଉ ବେଶିଦିନ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ହୁସେନ କହିଛନ୍ତି। ତେବେ ଏହି ବିବାଦ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ନୁହେଁ ବରଂ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଖରେ କେହି ପ୍ରତିଭାବାନ ଯୁବନେତା ତିଷ୍ଠିବା କଷ୍ଟ ବୋଲି ସେ କହିଛନ୍ତି। ରାଜସ୍ଥାନ ନିର୍ବାଚନରେ ପାଇଲଟ କଷ୍ଟ କରିଥିଲେ ହେଲେ ଗେହଲଟଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ପଦ। ତେଣୁ ପାଇଲଟଙ୍କୁ ଏହା ଅପମାନ ବୋଲି ହୁସେନ ମତ ଦେଇଛନ୍ତି।

Share