Categories: ଜାତୀୟ

ଲିଙ୍ଗ ନିରୂପଣ ଆଧାରିତ ଗର୍ଭପାତ ଅସମାନତା ବଢ଼ାଇବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୪(ପି.ଟି.): ଲିଙ୍ଗ ନିରୂପଣ ଆଧାରିତ ଗର୍ଭପାତ ଦେଶରେ ଲିଙ୍ଗଗତ ଅସମାନତା ବଢ଼ାଇବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତିକୁ ରୋକିବା ଲାଗି କଠୋର ଆଇନ ଆଣିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଭ୍ରୂଣର ଲିଙ୍ଗ ନିରୂପଣ ଉପରେ ରହିଥିବା କଟକଣା ସିଧାସଳଖ ଭାବେ ନାରୀ ଦ୍ୱେଷ ସମସ୍ୟା ସହ ଜଡ଼ିତ, ଯାହା ବିଶ୍ୱରେ ସବୁ ସାମାଜିକ, ଅର୍ଥନୈତିକ ବର୍ଗର ମହିଳାଙ୍କୁ ପ୍ରଭାବିତ କରିଛି। ଗର୍ଭଧାରଣ ପୂର୍ବ ଏବଂ ପ୍ରସବ ପୂର୍ବ ନିଦାନ ପ୍ରଯୁକ୍ତି ଅଧିନିୟମ, ୧୯୯୪ (ପିସିପିଏନ୍‌ଡିଟି ଆକ୍ଟ)କୁ କଡ଼ାକଡ଼ି ଅନୁପାଳନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଅବସରରେ ଜଷ୍ଟିସ ସ୍ବରନ କାନ୍ତ ଶର୍ମା ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ବେଆଇନ ଲିଙ୍ଗ ନିରୂପଣ ଘଟଣାରେ ଏକ ହସ୍ପିଟାଲରେ ଚଢ଼ାଉ କରାଯାଇ ଜଣେ ଡାକ୍ତରଙ୍କ ବିରୋଧରେ ପିସିପିଏନ୍‌ଡିଟି ଆଇନରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାକୁ ରଦ୍ଦ କରିବା ଲାଗି ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Share