Categories: ଜାତୀୟ

ଇଞ୍ଜିନିୟର ମହିଳାଙ୍କୁ ବିବାହ କରିବା ପାଇଁ କରିଥିଲେ ଲିଙ୍ଗ ପରିବର୍ତ୍ତନ, ଏବେ ଜୀବନ୍ତ ଜାଳିଦେଲେ

ଚେନ୍ନାଇ,୨୫।୧୨: ଜଣେ ଲିଙ୍ଗ ପରିବର୍ତ୍ତନ କରିଥିବା ବ୍ୟକ୍ତି ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କୁହାଯାଉଛି ଯେ ପିଲାଦିନରୁ ଦୁହେଁ ପରସ୍ପରକୁ ଜାଣିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି। ସୋମବାର ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପିଲାଦିନର ସହପାଠୀକୁ ଜୀବନ୍ତ ଜାଳି ଦେଇଛନ୍ତି। ଯିଏ ସଫ୍ଟୱେୟାର୍‌ ଇଞ୍ଜିନିୟର ଥିଲେ।

ଅଭିଯୁକ୍ତ ତାଙ୍କ ନାମ ପଣ୍ଡି ମହେଶ୍ୱରୀ (ପୂର୍ବରୁ ମହିଳା ଥିଲେ)ରୁ ବଦଳାଇ ଭେଟ୍ରିମାରନରେ ରଖିଥିଲେ। ସେ ଶନିବାର ଚେନ୍ନାଇର ଦକ୍ଷିଣ ଉପକଣ୍ଠ କେଲାମ୍ବକ୍କମ ନିକଟ ଥଲାମବୁରରେ ଆର.ନନ୍ଦିନୀଙ୍କୁ ଭେଟିଥିଲେ। ଆଉ ଜନ୍ମଦିନ ପୂର୍ବରୁ ନନ୍ଦିନୀଙ୍କୁ କିଛି ସରପ୍ରାଇଜ୍‌ ଦେବା କହି ଆଖିରେ କଳା ପଟି ଦେଇ ଏକ ଦଉଡିରେ ବାନ୍ଧି ଜୀବନ୍ତ ପୋଡି ଦେଇଥିଲେ।

ସୂଚନାଯୋଗ୍ୟ, ପୀଡିତା ମଦୁରାଇରେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ଯାଞ୍ଚରୁ ଜଣାପଡିଛି ଯେ ୨୬ ବର୍ଷିୟ ପଣ୍ଡି ମହେଶ୍ୱରୀ ନନ୍ଦିନୀଙ୍କ ସହ ମଦୁରାଇର ଏକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ମହେଶ୍ୱରୀ ତାଙ୍କ ନାମ ଭେଟ୍ରିମାରନରେ ପରିବର୍ତ୍ତନ କରିବା ପରେ ମଧ୍ୟ ନନ୍ଦିନୀ ମାନବିକତା ଆଧାରରେ ସେମାନଙ୍କର ବନ୍ଧୁତା ଜାରି ରଖିଥିଲେ ଏବଂ ଦୁହେଁ ଏକ କମ୍ପାନୀରେ ସାଙ୍ଗରେ କାମ ମଧ୍ୟ କରୁଥିଲେ।

Share