Categories: ଜାତୀୟ

ଶିକ୍ଷାଦାନରେ ଲିଙ୍ଗଗତ ତାରତମ୍ୟ: ପ୍ରାଇମେରୀରେ ମହିଳା ଆଗୁଆ-କଲେଜରେ ପଛୁଆ

ନୂଆଦିଲ୍ଲୀ, ୫।୯: ଦେଶରେ ଶିକ୍ଷାଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ପରିଲକ୍ଷିତ ହେଉଛି। ପ୍ରାଇମେରୀ ଶିକ୍ଷାଦାନ କ୍ଷେତ୍ରରେ ୧୦୦ ଜଣ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୮୩ ରହିଛି। ପ୍ରାଇମେରୀରେ ମହିଳା ଆଗୁଆ ଥିବାବେଳେ ପରବର୍ତ୍ତୀ ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କମିବାରେ ଲାଗିଛି। ଏନେଇ ଏମ୍‌ଏଚ୍‌ଆରଡି ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେକେଣ୍ଡାରୀରେ ପ୍ରତି ୧୦୦ ଜଣ ପୁରୁଷ ଶିକ୍ଷକଙ୍କ ଅନୁପାତ ତୁଳନାରେ ୭୨ ଜଣ ମହିଳା ଶିକ୍ଷକ ରହିଛନ୍ତି। ସିନିୟର ସେକେଣ୍ଡାରୀ ଏବଂ କଲେଜରେ ମହିଳା ଶିକ୍ଷକଙ୍କ ସଂଖ୍ୟା ୭୩ ରହିଛି। ଦେଶର ସ୍କୁଲ ଶିକ୍ଷକଙ୍କ ସଂଖ୍ୟା ୮୭ ଲକ୍ଷରୁ ଅଧିକ ରହିଛି। ସେହିପରି କଲେଜରେ ଶିକ୍ଷକଙ୍କ ସଂଖ୍ୟା ୧୪ ଲକ୍ଷ ଅଛି। ସ୍କୁଲରେ ପ୍ରତି ୨୩ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଅପରପକ୍ଷରେ କଲେଜରେ ପ୍ରତି ୨୯ ଜଣ ଶିକ୍ଷାର୍ଥୀଙ୍କ ଲାଗି ଜଣେ ଶିକ୍ଷକ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ୨୦୧୯ ମଧ୍ୟରେ ଗତ ୫ ବର୍ଷରେ ଶିକ୍ଷକଙ୍କ ଉପରେ ବୋଝ ବଢ଼ିଚାଲିଛି। ୨୦୧୫ରେ ପ୍ରତି ୨୩ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଥିଲେ। ମାତ୍ର ୨୦୧୯ରେ ପ୍ରତି ୨୯ ଜଣ ପିଲାଙ୍କ ଲାଗି ଜଣେ ଶିକ୍ଷକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସ୍କୁଲ ଶିକ୍ଷକଙ୍କ ମଧ୍ୟରୁ ପ୍ରାଇମେରୀରେ ୨୬ ଲକ୍ଷ ୬ ହଜାର ଶିକ୍ଷକ ରହିଛନ୍ତି। ସେହିପରି ପ୍ରି-ପ୍ରାଇମେରୀରେ ୨୬ ଲକ୍ଷ ୧୨ ହଜାର, ସେକେଣ୍ଡାରୀରେ ୧୪ ଲକ୍ଷ ୩୧ ହଜାର, ସିନିୟର ସେକେଣ୍ଡାରୀରେ ୨୦ ଲକ୍ଷ ୪୧ ହଜାର ଶିକ୍ଷକ ଅଛନ୍ତି। ପ୍ରତି ଜଣେ ଶିକ୍ଷକଙ୍କ ପିଛା ଶିକ୍ଷାର୍ଥୀଙ୍କ ସଂଖ୍ୟା ଏସବୁ କ୍ଷେତ୍ରରେ ଯଥାକ୍ରମେ ୨୩, ୧୭, ୨୭ ଏବଂ ୩୭ ରହିଛି। ଦେଶରେ ଉତ୍ତରପ୍ରଦେଶ, ବିହାର,ଝାଡ଼ଖଣ୍ଡ, ଡାମନ ଆଣ୍ଡ୍‌ ଡିୟୁ ଏବଂ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ପ୍ରାଇମେରୀ ଶିକ୍ଷକଙ୍କ ଉପରେ ବୋଝ ଅଧିକ ରହିଛି। ଏସବୁ ରାଜ୍ୟରେ ଜଣେ ଶିକ୍ଷକଙ୍କ ପିଛା ଯଥାକ୍ରମେ ୩୯, ୩୬, ୨୭, ୨୬ ଏବଂ ୨୫ ଜଣ ଶିକ୍ଷାର୍ଥୀ ରହିଛନ୍ତି। ସେହିପରି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ୫ ରାଜ୍ୟରେ ଅପର ପ୍ରାଇମେରୀ ଶିକ୍ଷକଙ୍କ ଉପରେ ବୋଝ ଅଧିକ ରହିଛି। ଏସବୁ ରାଜ୍ୟରେ ଜଣେ ଶିକ୍ଷକଙ୍କ ପିଛା ଯଥାକ୍ରମେ ୩୧, ୨୭, ୨୪, ୧୯ ଏବଂ ୧୫ ଜଣ ଶିକ୍ଷାର୍ଥୀ ରହିଛନ୍ତି।

Share