ଲିଙ୍ଗଗତ ଅସମାନତା: ୧୨୯ତମ ସ୍ଥାନରେ ଭାରତ, ଶୀର୍ଷରେ ଆଇସ୍‌ଲ୍ୟାଣ୍ଡ

ଜେନେଭା, ୧୨।୬: ଓ୍ବାର୍ଲଡ୍‌ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି ୧୨୯ତମ ସ୍ଥାନରେ ପହଞ୍ଚିଛି। ତେବେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଆଇସ୍‌ଲ୍ୟାଣ୍ଡ ଏହି ସୂଚକାଙ୍କରେ ନିଜ ଶୀର୍ଷ ସ୍ଥାନ ବଜାୟ ରଖିଛି। ଦକ୍ଷିଣ ଏସିଆରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଭୁଟାନ ପରେ ଭାରତ ଏହି ସୂଚକାଙ୍କରେ ପଞ୍ଚମ ସ୍ଥାନରେ ରହିଛି। ବିଶ୍ୱବ୍ୟାପୀ ୧୪୬ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚକାଙ୍କରେ ସୁଦାନ ସର୍ବନିମ୍ନ ସ୍ଥାନରେ ରହିଛି।

ସେହିପରି ପାକିସ୍ତାନ ୩ଟି ସ୍ଥାନ ତଳକୁ ଖସି ୧୪୫ତମ ସ୍ଥାନରେ ରହିଛି। ତେବେ ମାଧ୍ୟମିକ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ଭାରତର ଲିଙ୍ଗଗତ ସମାନତା ବିଶ୍ୱରେ ସର୍ବୋତ୍ତମ ଥିବା ବିଶ୍ୱ ଅର୍ଥନୈତିକ ମଞ୍ଚ ପକ୍ଷରୁ କୁହାଯାଇଛି। ସେହିପରି ମହିଳାମାନଙ୍କ ରାଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଭାରତ ବିଶ୍ୱବ୍ୟାପୀ ୬୫ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ, ଗତ ୪ ବର୍ଷ ଧରି ଭାରତରେ ଆର୍ଥିକ ସମାନତା ଉପରକୁ ବଢ଼ୁଥିବା ଡବ୍ଲ୍ୟୁଇଏଫ୍‌ କହିଛି।

ବର୍ତ୍ତମାନ ସ୍ଥିତିରେ ବିଶ୍ୱବ୍ୟାପୀ ଲିଙ୍ଗଗତ ସମାନତାକୁ ସମ୍ପୂର୍ଣ୍ଣ ଭାବେ ହାସଲ କରିବାକୁ ଆହୁରି ୧୩୪ ବର୍ଷ ସମୟ ଲାଗିବ। ତେଣୁ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଲିଙ୍ଗଗତ ସମାନତା ହାସଲ ପାଇଁ ବିଶ୍ୱସ୍ତରୀୟ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ଅର୍ଥନୈତିକ ମଞ୍ଚର ପରିଚାଳନା ନିର୍ଦ୍ଦେଶିକା ସାଦିଆ ଜାହିଦୀ କହିଛନ୍ତି।

Share