ଅଷ୍ଟ୍ରେଲିଆ ନିର୍ବାଚନ: ଭୋଟ ନ ଦେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା

କାନବେରା,୧୮।୫: ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତେବେ ୧୯୨୪ରୁ ସରକାର ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଏଠାରେ ସବୁଥର ପାଖାପାଖି ୯୧ ପ୍ରତିଶତରୁ ଊର୍ଦ୍ଧ୍ୱ ମତଦାନ ହୋଇଥାଏ। ୧୯୯୪ରେ ତ ଏହା ୯୬.୨୨ ପ୍ରତିଶତ ହୋଇଥିଲା। ସରକାରଙ୍କ କହିବା କଥା ହେଲା ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଲୋକେ ସରକାର ଓ ରାଜନୀତିକ କାର୍ଯ୍ୟରେ ରୁଚି ରଖୁଛନ୍ତି। ସେଥିପାଇଁ ସକ୍ରିୟ ଭାବେ ଭୋଟ ଦେବାକୁ ରେଜିଷ୍ଟ୍ରେଶନ କରୁଛନ୍ତି। ଏଠାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କର ମତଦାନ ଅଧିକାର ରହିଛି। ତେବେ କେହି ଯଦି ଭୋଟ ଦେଇ ନ ପାରିଲେ ସରକାର ସେମାନଙ୍କୁ ଏହାର କାରଣ ପଚାରନ୍ତି। ଯଦି ଏହାର କୌଣସି ସଠିକ୍‌ ବା ଯୁକ୍ତିଯୁକ୍ତ କାରଣ ନ ବାହାରିଲା ତେବେ ସରକାର ସେମାନଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲଗାଇଥାଆନ୍ତି।

Share