
କୋକସରା,୨୪ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଝରିଆଗୁଡାଠାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳର ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତବର୍ଷ ମଣ୍ଡି ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ଜାଗା ସମସ୍ୟା ଉପୁଜିଥିଲା। ନିଜ ଗାଁ ଓ ଅଞ୍ଚଳର ଚାଷୀଙ୍କ ଧାନ ବିକ୍ରି ସମସ୍ୟାକୁ ହୃଦୟଙ୍ଗମ କରି ଝରିଆଗୁଡା ଗ୍ରାମର ଜଣେ ସଚେତନ ଓ ବଦାନ୍ୟ ଚାଷୀ ଜୟଲାଲ ନାଏକ ଗାଁ ନିକଟରେ ଥିବା ନିଜର ୧ ଏକର ଚାଷଜମିକୁ ଦାନ କରିବା ପାଇଁ ମନସ୍ଥ କରି ଗ୍ରାମର ଚାଷୀଙ୍କୁ ଡାକି ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ସେ ଜିଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ଜମି ଦାନ ପରେ ଗତବର୍ଷଠାରୁ ଝରିଆଗୁଡାରେ କୋକସରା ପାକ୍ସ ଅଧୀନରେ ମଣ୍ଡି ଆରମ୍ଭ ହୋଇ ଚାଷୀମାନେ ସୁରୁଖୁରୁରେ ନିଜ ଗାଁରେ ଧାନ ବିକ୍ରି କରିଥିଲେ। ତେବେ ଜମିଦାନ କରିଥିବା କାଗଜପତ୍ର ପ୍ରଶାସନକୁ ହସ୍ତାନ୍ତର ହୋଇ ନ ଥିଲା। ସୋମବାର ଜମିଦାନ କରିଥିବା ଚାଷୀ ଜୟଲାଲଙ୍କ ସମେତ ସ୍ଥାନୀୟ ପଞ୍ଚାୟତର ସମିତି ସଭ୍ୟ ମୁକ୍ତେଶର ନାଏକ, ଝରିଆଗୁଡା ଗ୍ରାମର ଚାଷୀ ରାଜକିଶୋର ସାହୁ, ହୃଷୀକେଶ ଖମାରି, ସୁରେନ୍ଦ୍ର ବଚ୍ଛା, କୁରୁକ୍ଷେତ୍ର ପାଣିଗ୍ରାହୀ ପ୍ରମୁଖ ଚାଷୀମାନେ ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଭୁବନେଶ୍ୱର ବେହେରାଙ୍କୁ ଦାନ କରିଥିବା ଜମିର ରେଜିଷ୍ଟ୍ରେଶନ ପଟ୍ଟା ହସ୍ତାନ୍ତର କରିଥିଲେ। ଚାଷିଙ୍କ ପାଇଁ ଜମିଦାନ କରି ମହାନତା ଦେଖାଇ ଥିବା ଚାଷୀ ଜୟଲାଲଙ୍କୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।