Categories: ଖେଳ

ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କଲେ ଜର୍ଜିଆନ ଶୁଟର

ଚାଟେରକ୍ସ (ଫ୍ରାନ୍ସ), ୩୧ା୭ (ପି.ଟି.): ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବାକୁୁ ଯାଇ ଜର୍ଜିଆର ଜଣେ ମହିଳା ଶୁଟର ନିନୋ ସାଲୁକ୍‌ଭେଜ କ୍ରମାଗତ ୧୦ମ ଥର ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ନିନୋ ୯ମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଶ କରି ୩ ପଦକ ହାସଲ କରିବା ପରେ ତାଙ୍କ ପିସ୍ତଲକୁ ଅଲବିଦା କରିଦେବାକୁ ସ୍ଥିର କରିଥିଲେ। କିନ୍ତୁ ପିତାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସେ ଅଭୂତପୂର୍ବ ୧୦ମ ଥର ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ୫୫ ବର୍ଷୀୟା ନିନୋ ଉଦ୍‌ଘାଟନୀ ଉତ୍ସବରେ ଜର୍ଜିଆର ପତାକାବାହକ ହୋଇଥିଲେ।

ଇକ୍ୱେଷ୍ଟ୍ରିଆନ ଶୋ ଜମ୍ପର ଇଆନ ମିଲରଙ୍କ ପରେ ସେ ଓଭରଅଲ ଦ୍ୱିତୀୟ ଏବଂ ପ୍ରଥମ ମହିଳା ଆଥଲେଟ ଭାବେ କ୍ରମାଗତ ୧୦ମ ଥର ଗ୍ରୀଷ୍ମକାଳୀନ କ୍ରୀଡ଼ାରେ ଭାଗ ନେଇଛନ୍ତି। ୧୯୮୮ ସିଓଲ ଗେମ୍ସରେ ସେ ତାଙ୍କ ପ୍ରଥମ ଦୁଇ ପଦକ ହାସଲ କରିଥିଲେ। ସେ ୨୫ ମିଟର ପିସ୍ତଲରେ ସ୍ବର୍ଣ୍ଣ ଏବଂ ୧୦ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ। ସେତେବେଳେ ସେ ସୋଭିଏଟ୍‌ ୟୁନିୟନ ତରଫରୁ ପ୍ରତିନିଧିତ୍ୱ କରୁଥିଲେ। ଏହାର ୨୦ ବର୍ଷ ପରେ ଜର୍ଜିଆ ଦେଶ ତରଫରୁ ଭାଗ ନେଇ ସେ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସାଲୁକ୍‌ଭେଜ୍‌ ତାଙ୍କ ପିତା ଭଖତାଙ୍ଗ ସାଲୁକ୍‌ଭେଜଙ୍କ ଅଭିଳାଷ ପୂରଣ କରିବାକୁ ଯାଇ ଏଠାରେ ମଧ୍ୟ ଏକ ପଦକ ଜିତିବା ଲକ୍ଷ୍ୟ ନେଇ ଆସିଥିଲେ। ସେ କହିଛନ୍ତି, ତାଙ୍କ ପିତା ତାଙ୍କୁ କେବେ କୌଣସି ଜିନିିଷ ମାଗି ନ ଥିଲେ। ତେଣୁ ଏହା ବୋଧହୁଏ ତାଙ୍କ ଅନ୍ତିମ ଇଚ୍ଛାଥିଲା ବୋଲି ସେ ମନେ କରିଥିଲେ।

ଏଠାରେ ଶୁକ୍ରବାର ୨୫ମିଟର ପିସ୍ତଲ କ୍ୱାଲିଫିକେଶନରେ ଅଂଶଗ୍ରହଣ କରିବା ସମୟରେ ସେ ଏକଥା ପ୍ରକାଶ କରିଛନ୍ତି। କୌତୂହଳର କଥା ଏହିକି ଯେ ନିନୋଙ୍କ ନାମରେ ଜୁନିୟର ବିଶ୍ୱ ରେକର୍ଡ ରହିଛି। ସେ ୧୯୮୯ରେ ଏହି ସଫଳତା ହାସଲ କରିଥିଲେ। ପରେ ଭାରତର ମନୁ ଭାକର ଏହି ରେକର୍ଡର ସମକକ୍ଷ ହୋଇପାରିଥିଲେ, ଯିଏକି ଏଠାରେ ୧୦ମିଟର ଏୟାର ପିସ୍ତଲ ଓ ୧୦ମିଟର ପିସ୍ତଲ ମିକ୍ସଡ ଟିମ୍‌୍‌ ଇଭେଣ୍ଟରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭେଟେରାନ ଶୁଟର ନିନୋଙ୍କ ଡାହାଣ ଆଖିରେ ଏବେ କିଛି ସମସ୍ୟା ଦେଖା ଦେଇଛି। ଏହା ତାଙ୍କର ଶେଷ ଅଲିମ୍ପିକ୍ସ ହେବ।

ସେ କହିଛନ୍ତି, ଟୋକିଓ ଗେମ୍ସ ପରେ ସେ ଶୁଟିଂ ଛାଡ଼ିଦେବେ ବୋଲି ପ୍ରଥମେ ବିଚାର କରିଥିଲେ। ଭଖତାଙ୍ଗ କେବଳ ନିନୋଙ୍କ ପିତା ନ ଥିଲେ ସେ ତାଙ୍କର କୋଚ ମଧ୍ୟ ଥିଲେ। ଚଳିତବର୍ଷ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ପୂର୍ବରୁ ସେ କହିଥିଲେ, ଏଥର ୪ବର୍ଷ (୨୦୨୦ ଟୋକିଓ ପରେ) ନୁହେଁ ୩ ବର୍ଷ ବ୍ୟବଧାନରେ ଅଲିମ୍ପିକ୍ସ ଅନୁଷ୍ଠିତ ହେଉଛି। ଏଥିରେ ଭାଗ ନ ନେଲେ ମନସ୍ତାପ କରିବାକୁ ପଡ଼ିବ। ମୁଁ ଚେଷ୍ଟା କରି ଦେଖିବା ଲାଗି ମନସ୍ଥ କରିଥିଲି। ମୋ ପିତା ଜଣେ ଭଲ କୋଚ୍‌ ଥିଲେ। ଶୁଟିଂରେ ମନୋବିଜ୍ଞାନର ଏକ ବଡ଼ ଭୂମିକା ରହିଛି।

Share