Categories: ଖେଳ

ତୃତୀୟ ଟାଇଟଲ ଲକ୍ଷ୍ୟରେ ଜର୍ମାନୀ

ଭୁବନେଶ୍ୱର,୮ା୧ (ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର-ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ଅଂଶଗ୍ରହଣ କରିବା ପାଇଁ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି ଦୁଇ ଦୁଇ ଥର ବିଶ୍ୱ ଚାମ୍ପିୟନ ଜର୍ମାନୀ। ଓଡ଼ିଶାରେ ଖେଳାଯାଇଥିବା ପୂର୍ବ ସଂସ୍କରଣରେ ଜର୍ମାନୀ ୫ମ ସ୍ଥାନରେ ରହିଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଜର୍ମାନୀ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପୁଲ୍‌ ବି’ରେ ଜାପାନ, ବେଲଜିୟମ ଏବଂ କୋରିଆ ସହିତ ଜର୍ମାନୀ ସ୍ଥାନ ପାଇଛି। ଜାନୁୟାରୀ ୧୪ ତାରିଖରେ ଜାପାନ ବିପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଦଳ ନିଜର ଅଭିଯାନ ଆରମ୍ଭ କରିବ। ଦଳ ୨୦୦୨ ଓ ୨୦୦୬ରେ କ୍ରମାଗତ ଦୁଇଥର ଚାମ୍ପିୟନ ହୋଇଥିବା ବେଳେ ପୁନର୍ବାର ଏହି ସଫଳତା ଦୋହରାଇବାକୁ ପ୍ରୟାସ କରିବ।

ଓଡ଼ିଶାରେ ଖେଳିବା ପାଇଁ ଉତ୍ସାହୀ
ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌କୁ ନେଇ ଖେଳାଳିମାନେ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ଜର୍ମାନୀ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମ୍ବଶ୍‌। ୨୦୨୦ ପରେ ଦଳ ନୂତନ କୋଚ ଆଣ୍ଡ୍ରେ ହେନିଙ୍ଗ୍ସଙ୍କ ଅଧୀନରେ କଡା ପରିଶ୍ରମ କରିଛି। ବିଗତ ୮ ମାସ ମଧ୍ୟରେ ନୂଆ କୋଚଙ୍କ ଅଧୀନରେ ଦଳ ୧୮ ମ୍ୟାଚ ଖେଳିଥିବା ବେଳେ ଏଥିରୁ ୧୩ଟିରେ ବିଜୟୀ ହୋଇଛି। ବିଶ୍ୱକପ୍‌ରେ ମଧ୍ୟ ଦଳ ସମାନ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ ବୋଲି ସେ କହିଛନ୍ତି। ୨୦୧୮ ସଂସ୍କରଣରେ ଦଳ ପଞ୍ଚମ ସ୍ଥାନରେ ଟୁର୍ନାମେଣ୍ଟ ଶେଷ କରିଥିବା ବେଳେ ଚଳିତ ବର୍ଷ ନିଜର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ହକି ଖେଳିବା ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ରହିଥାଏ। ବିଶ୍ୱକପ୍‌ ପାଇଁ ଦଳର ପ୍ରସ୍ତୁତି ଚମତ୍କାର ରହିଛି। ନିକଟରେ ସ୍ପେନ୍‌ରେ ଅନୁଷ୍ଠିତ ଷଡ଼ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଦଳର ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା ବୋଲି କହିଛନ୍ତି ଗ୍ରାମ୍ବଶ୍‌। ଦଳ ନିଜ ପ୍ରଦର୍ଶନରେ ସାମାନ୍ୟ ଉନ୍ନତି ଆଣିବା ସହିତ ତୃତୀୟ ବିଶ୍ୱକପ୍‌ ହାସଲ କରିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି।

ଡିଫେନ୍ସ ଅଧିକ ସଶକ୍ତ
ଏହି ବୃହତ୍‌ ଟୁର୍ନାମେଣ୍ଟ ପୂର୍ବରୁ ଜର୍ମାନୀ ଦଳ ଏହାର ପ୍ରସ୍ତୁତି ଜୋରଦାର କରିଛି ବୋଲି କହିଛନ୍ତି କୋଚ୍‌ ଆଣ୍ଡ୍ରେ ହେନିଙ୍ଗ୍ସ। ପ୍ରସ୍ତୁତି ଶିବିରରେ ରକ୍ଷଣଭାଗ ଖେଳାଳି ସର୍ବାଧିକ ପରିଶ୍ରମ କରିଥିବା ବେଳେ ଦଳ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଟେକ୍‌ନିକ୍‌ ଦୃଷ୍ଟିରୁ ସମସ୍ତ ଖେଳାଳି ମଧ୍ୟ ବେଶ୍‌ ସଶକ୍ତ ବୋଲି ହେନିଙ୍ଗ୍ସ କହିଛନ୍ତି। ଦଳର ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଥିବା ବେଳେ ଆମେ ପ୍ରାରମ୍ଭିକ ଭାବରେ ସେମିଫାଇନାଲ ଳକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।

Share