ଜର୍ମାନୀ, ବେଲ୍‌ଜିୟମ୍‌ ବନ୍ୟା ମୃତ୍ୟୁସଂଖ୍ୟା ୧୫୭

ଓ୍ବାସେନ୍‌ବର୍ଗ, ୧୮।୭: ଜର୍ମାନୀ ଓ ବେଲ୍‌ଜିୟମରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି। ପଶ୍ଚିମ ଜର୍ମାନୀରେ ୧୩୩ ଜଣଙ୍କ ଜୀବନ ଯାଇଛି। ଏହା ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଜର୍ମାନୀରେ ସବୁଠୁ ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଶତାଧିକ ନିଖୋଜ ଅଛନ୍ତି।
ଜର୍ମାନୀରେ ଏଭଳି ବନ୍ୟା କେବେ ଆସି ନ ଥିଲା। ମାତ୍ର ୧୫ ମିନିଟରେ ସବୁକିଛି ବୁଡ଼ିଯାଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଓ ଘରଦ୍ୱାର ବୁଡ଼ିଯାଇଥିଲା। କେଉଁଠି କାର ଭାସିଯାଇଥିଲା ତ ପୁଣି କେଉଁଠି ଓଲଟି ପଡ଼ିଥିବା ଦେଖାଯାଇଥିଲା। କେତେକ ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ରେଇନଲାଣ୍ଡ-ପାଲାଟିନେଟ୍‌ର ଇଣ୍ଟେରିଅର ମନ୍ତ୍ରୀ ରୋଗର୍‌ ଲେଓ୍ବେଣ୍ଟଜ୍‌ କହିଛନ୍ତି।

Share