ଜର୍ମାନୀ ଏବେ ବି ଦଖଲରେ, ସ୍ବତନ୍ତ୍ର ନିଷ୍ପତ୍ତି ନେବାକୁ ଅସମର୍ଥ, ନର୍ଡ ଷ୍ଟ୍ରିମ ପାଇପଲାଇନ ବିସ୍ଫୋରଣରେ ଆମେରିକାର ହାତ: ପୁଟିନ…

ମସ୍କୋ,୧୫।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ସେ ଦାବି କରିଛନ୍ତି ଯେ ଜର୍ମାନୀ ଏବେବି ଦଖଲରେ ଅଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆତ୍ମସମର୍ପଣ କରିବା ପରଠାରୁ ସ୍ବତନ୍ତ୍ର ଭାବେ ନିଷ୍ପତ୍ତି ନେବାକୁ ଅସମର୍ଥ। ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନରେ ବିସ୍ଫୋରଣକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଭ୍ଲାଦିମିର ପୁଟିନ ଏହା କହିଛନ୍ତି। ରୁଷିଆର ସରକାରୀ ଟିଭି ସହିତ କଥାବାର୍ତ୍ତା କରି ପୁଟିନ କହିଛନ୍ତି ଯେ ୟୁରୋପର ନେତାମାନେ ନିଜେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜର୍ମାନୀ କେବେ ବି ଏକ ସାର୍ବଭୌମ ରାଷ୍ଟ୍ର ହୋଇ ନାହିଁ।

ରୁଷିଆର ରାଷ୍ଟ୍ରପତି କହିଛନ୍ତି ଯେ ସୋଭିଏତ ୟୁନିଅନ ଜର୍ମାନୀ ଦଖଲ କରିବାର କିଛି ସମୟ ପରେ ନିଜର ସେନାବାହିନୀ ପ୍ରତ୍ୟାହାର କରି ନେଇଥିଲା କିନ୍ତୁ ସମସ୍ତେ ଜାଣନ୍ତି ଯେ ଆମେରିକା କ୍ଷେତ୍ରରେ ତାହା ହୋଇ ନାହିଁ। ଆମେରିକା ଏବେ ବି ଜର୍ମାନୀ ଉପରେ ନିଜର ଦଖଲ ଆଭିମୁଖ୍ୟ ବଜାୟ ରଖିଛି। ପୁଟିନ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନରେ ହୋଇଥିବା ବିସ୍ଫୋରଣକୁ ଏକ ବୃହତ ଷଡଯନ୍ତ୍ର ବୋଲି କହିଛନ୍ତି । ୟୁକ୍ରେନ ସମର୍ଥିତ ସଂଗଠନ ଦ୍ୱାରା ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ହୋଇଥିବା ମନ୍ତବ୍ୟ ନିରର୍ଥକ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି ଯେ ଏହା ଦେଖିବା ଉଚିତ ଯେ କିଏ ଏଥିରେ ଆଗ୍ରହୀ ଏବଂ କିଏ ଏହା କରିବାକୁ ଇଚ୍ଛୁକ? ଅବଶ୍ୟ ଆମେରିକା ଏହା କରିବାକୁ ଚାହୁଁଛି। କେଉଁ ପ୍ରକାର ବିସ୍ଫୋରଣ ଘଟିଥିଲା ଏବଂ ଯେତିକି ଶକ୍ତିଶାଳୀ ଥିଲା, ତାହା କେବଳ ବିଶେଷଜ୍ଞଙ୍କ ଦ୍ୱାରା ଏବଂ ସରକାରଙ୍କ ସମ୍ପୂର୍ଣ୍ଣ ସାହାଯ୍ୟରେ କରାଯାଇପାରିବ।

ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ସମୁଦ୍ର ତଳେ ଏକ ଗ୍ୟାସ ପାଇପଲାଇନ ଯାଇଛି। ଏହା ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ଭାବରେ ଜଣାଶୁଣା। ନର୍ଡ ଷ୍ଟ୍ରିମ-୧ ଗ୍ୟାସ ପାଇପଲାଇନ ବାଲଟିକ ସାଗରରେ ରୁଷିଆର ଭିବର୍ଗକୁ ଉତ୍ତର-ପଶ୍ଚିମ ଜର୍ମାନୀର ଲବମିନ ସହିତ ସଂଯୋଗ କରେ। ଏହାର ଲମ୍ବ ୧୨୨୪ କିଲୋମିଟର। ଏହା ମାଧ୍ୟମରେ ରୁଷିଆ ଜର୍ମାନୀକୁ ପ୍ରାକୃତିକ ଗ୍ୟାସ ଯୋଗାଇଥାଏ। ଏହାର ନିର୍ମାଣ ୨୦୧୧ ମସିହାରେ ଶେଷ ହୋଇଥିଲା। ଏବଂ ନର୍ଡ ଷ୍ଟ୍ରିମ -୨ ପାଇପଲାଇନ ରୁଷିଆର ଉଷ୍ଟ-ଲୁଗାକୁ ଜର୍ମାନୀର ଲୁବମିନ ସହିତ ସଂଯୋଗ କରେ। ସେପ୍ଟେମ୍ବର ୨୦୨୧ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏହି ଦୁଇଟି ଗ୍ୟାସ ପାଇପଲାଇନ ମାଧ୍ୟମରେ ରୁଷିଆ ଜର୍ମାନୀକୁ ବାର୍ଷିକ ୧୧୦ ବିଲିୟନ ଘନ ମିଟର ଗ୍ୟାସ ଯୋଗାଇ ଥାଏ। ଆଗାମୀ ୫୦ ବର୍ଷ ପାଇଁ, ରୁଷିଆ ନର୍ଡ ଷ୍ଟ୍ରିମ ପାଇପଲାଇନ ମାଧ୍ୟମରେ ଜର୍ମାନୀକୁ ଗ୍ୟାସ ଯୋଗାଇବାର ଯୋଜନା ରହିଛି। ୟୁକ୍ରେନ ଯୁଦ୍ଧ ପରଠାରୁ ଏହି ପାଇପଲାଇନରୁ ୟୁରୋପକୁ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି କାରଣ ବିଶ୍ୱର ଅନେକ ଦେଶ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ୟୁରୋପରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଗତ ବର୍ଷ ସେପ୍ଟେମ୍ବରରେ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ବିସ୍ଫୋରଣ ପାଇଁ ପୁଟିନ ପରୋକ୍ଷରେ ଆମେରିକାକୁ ଦାୟୀ କରିଛନ୍ତି।

Share