Categories: ଖେଳ

ଜର୍ମାନୀର ଅଭିନବ ପ୍ରତିବାଦ

ଦୋହା,୨୪ା୧୧(ପି.ଟି.): ଫିଫା ପକ୍ଷରୁ ଓ୍ବାନ୍‌ ଲଭ୍‌ ବ୍ୟାଣ୍ଡ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏକ ଅଭିନବ ଉପାୟରେ ବିରୋଧାଭାସ ଜାହିର କରିଛି ଜର୍ମାନୀ। ବୁଧବାର ଜାପାନ ବିପକ୍ଷ ମ୍ୟାଚରେ ଦଳର ସମସ୍ତ ଖେଳାଳି ମୁହଁ ବନ୍ଦ କରିବା ସହିତ ଏକ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ। ଫିଫା ପକ୍ଷରୁ ବିଭିନ୍ନ ଦଳର ସ୍ବରକୁ ଦବାଇ ଦେବାକୁ ଯେଉଁ ପ୍ରୟାସ କରାଯାଉଛି ତାକୁ ବିରୋଧ କରି ଜର୍ମାନୀ ଖେଳାଳି ଏଭଳି ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ।

ଜାପାନ ବିପକ୍ଷ ମ୍ୟାଚ ପୂର୍ବରୁ ଜର୍ମାନୀର ୧୧ ଜଣ ଖେଳାଳି ପାଟିରେ ଡାହାଣ ହାତ ରଖି ପ୍ରତିବାଦ କରିଥିଲେ। ୟୁଏଫାର ୭ ସଦସ୍ୟ କାତାର ବିଶ୍ୱକପ୍‌ରେ ମାନବାଧିକାର ଉଲ୍ଲଂଘନ ଓ ସମଲିଙ୍ଗୀଙ୍କୁ ସମାନ ଅଧିକାର ଦାବିରେ ଓ୍ବାନ ଲଭ୍‌ ଆର୍ମବ୍ୟାଣ୍ଡ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସୋମବାର ମ୍ୟାଚ ପୂର୍ବରୁ ଏହି ଆର୍ମବ୍ୟାଣ୍ଡ ପିନ୍ଧିଲେ ଖେଳାଳିଙ୍କୁ ୟେଲୋକାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ସମସ୍ତ ଦଳ ଏହି ନିୟମ ମାନି ନେଇଥିବା ବେଳେ ଜର୍ମାନୀ କିନ୍ତୁ ଏହି ଏକଚ୍ଛତ୍ରବାଦ ନିଷ୍ପତ୍ତିକୁ ବିରୋଧ କରିଛି। ପୂର୍ବରୁ ଜର୍ମାନୀ କୋଚ୍‌ ହାନ୍ସି ଫ୍ଲିକ୍‌ ଏହାକୁ ବିରୋଧ କରିଥିଲେ।

 

Share