କର୍ତ୍ତୃପକ୍ଷ ଗିରଫ ହୁଅନ୍ତୁ

ନିକଟରେ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ଏକ ଛାତ୍ରାବାସରେ ଜଣେ ଛାତ୍ରଙ୍କୁ ରାଗିଂ ପରେ ଦ୍ୱିତୀୟ ମହଲା ବାଲ୍‌କୋନିରୁ କେତେଜଣ ସିନିୟର ଛାତ୍ର ଠେଲି ହତ୍ୟା କରିଥିଲେ। ଏହି ଘଟଣାର ସପ୍ତାହେ ପରେ ଅର୍ଥାତ୍‌ ୨୦ ଅଗଷ୍ଟରେ ଓଡ଼ିଶାର ପୁରୀସ୍ଥିତ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ରାଗିଂ ଘଟଣା ଛାତ୍ର ମାନସିକତାର କୁତ୍ସିତ ରୂପକୁ ସାମ୍ନାକୁ ଆଣିଛି। କୋଭିଡ୍‌ ପରେ ଅଫ୍‌ଲାଇନ ଶିକ୍ଷା ଅରମ୍ଭ ହେବାଠାରୁ ଦେଶରେ ଏପରିକି ଆମ ରାଜ୍ୟରେ ଲଗାତର ରାଗିଂଜନିତ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ହେଲେ ଆହୁରି ଅନେକ ଘଟଣା ଲୋକଲୋଚନକୁ ଆସିପାରୁନାହିଁ। ୨୦୧୬ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାରତର ବିଭିନ୍ନ କଲେଜରେ ପାଖାପାଖି ୪୦% ଛାତ୍ର କୌଣସି ପ୍ରକାରର ରାଗିଂର ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ମାତ୍ର ୮.୬% ସାଧାରଣରେ ପ୍ରକାଶ ପାଉଛି, ଯାହା ଅତ୍ୟନ୍ତ ଉଦ୍‌ବେଗଜନକ।
ଶିକ୍ଷାନୁଷ୍ଠାନରେ ଉଚ୍ଚଶ୍ରେଣୀର ଛାତ୍ର କିମ୍ବା ଛାତ୍ରୀମାନେ ତଳ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ରାଗିଂ କରି ସେମାନଙ୍କ ବାହୁବଳୀ ସ୍ବଭାବ ଓ ଅନୁଶାସନର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଥାଆନ୍ତି। ଏଭଳି ଦମନ ଚିନ୍ତାଧାରା ରଖୁଥିବା ବିଦ୍ୟାର୍ଥୀମାନେ ଏଥିରୁ ସାମୟିକ ଖୁସି ପାଉଥିବା ବେଳେ ଅନ୍ୟପଟେ ନବାଗତ ପିଲାମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଉଛନ୍ତି। କେବଳ ଏତିକି ନୁହେଁ, ଅନେକେ ମାନସିକ ଭାରସାମ୍ୟ ହରାଇ କ୍ୟାମ୍ପସରେ ଆମତ୍ହତ୍ୟା କରୁଥିବା ଦେଖାଯାଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ମଧ୍ୟ ଏ ବିଷୟକୁ ତା’ ତଥ୍ୟରେ ଦର୍ଶାଇଛି। ସାଧାରଣ ଶିକ୍ଷାୟତନ ଅପେକ୍ଷା ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ଅଧିକ ଦେଖାଯାଏ। ପୂର୍ବରୁ ରାଗିଂରେ ପୁଅମାନେ ଅଧିକ ସକ୍ରିୟ ଥିବା ଦେଖାଯାଉଥିବା ବେଳେ ବିଗତ କିଛି ବର୍ଷ ହେବ ସେହି କୁତ୍ସିତ କାର୍ଯ୍ୟରେ ଝିଅମାନେ ଖୁବ୍‌ ଆଗ୍ରହର ସହିତ ସାମିଲ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ବର୍ଷେ ତଳେ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ସିନିୟର ଛାତ୍ରୀଙ୍କ ଅତ୍ୟାଚାର ସହି ନ ପାରି ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ଘଟଣା ରାଜ୍ୟରେ ଚହଳ ପକାଇଥିଲା। କିନ୍ତୁ ତା’ ପରେ ସେହି ତିନି ଜଣ ସିନିୟର ଛାତ୍ରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା କେହି ଜାଣିପାରିଲେ ନାହିଁ ଏବଂ ମୃତ ଛାତ୍ରୀଙ୍କ ପରିବାର ସବୁ ଦିନ ପାଇଁ ତାଙ୍କ ପିଲାକୁ ହରାଇବସିଲେ। ଚିନ୍ତାର ବିଷୟ ହେଉଛି, ରାଗିଂ ରୋକିବା ଲାଗି ୨୦୦୭ରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରିଛନ୍ତି। ୨୦୦୯ରେ ୟୁଜିସି ନିୟମାବଳୀ ସ୍ଥିର କରିବା ପରେ ମଧ୍ୟ ରାଗିଂକୁ ନେଇ ଛାତ୍ର ମାନସିକତାରେ ପରିବର୍ତ୍ତନ ଆସିପାରୁନାହିଁ। ଏହାର ପ୍ରମୁଖ କାରଣ ହେଲା ଦୃଷ୍ଟାନ୍ତମୂଳକ ଦଣ୍ଡର ଅଭାବ। ରାଗିଂକୁ ନେଇ କେତେ ଜଣ ଛାତ୍ର କହିଥାଆନ୍ତି ଯେ, ଜୁନିୟରମାନଙ୍କୁ ସ୍ମାର୍ଟ କରିବା ଲାଗି ଏହା ଉଦ୍ଦିଷ୍ଟ। ଏଠାରେ ସ୍ମାର୍ଟର ସଂଜ୍ଞା ବୁଝିବା କଷ୍ଟକର। ଯଦି ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ନ ଯାଇ ସିନିୟରମାନେ ଜୁନିୟରଙ୍କୁ ପାଠପଢ଼ାଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ମାର୍ଗଦର୍ଶନ କରାନ୍ତେ, ତା’ ହେଲେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ସହିତ ସ୍ମାର୍ଟର ଯଥାର୍ଥତାର ପ୍ରତିପାଦନ ହୋଇପାରନ୍ତା। କିନ୍ତୁ ଏହା ସ୍ପଷ୍ଟ ଭାବେ ବୁଝାପଡ଼ୁଛି ଯେଉଁ ଛାତ୍ରୀଛାତ୍ର ହିଂସାତ୍ମକ ରାଗିଂ କରି ମଜା ନେଉଛନ୍ତି, ସେମାନେ କଦାପି ପାଠପଢ଼ା କିମ୍ବା ଖେଳକୁଦରେ ସଫଳତା ପାଇପାରୁଥିବେ ବୋଲି ବିଶ୍ୱାସ ହେଉନାହିଁ।
ଆଜିର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିକ୍ଷାରେ ପିଲାମାନେ ପେଷି ହୋଇଯାଉଛନ୍ତି। ଏହା ସତ୍ତ୍ୱେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଯେଉଁମାନେ ଲକ୍ଷ୍ୟ ନେଇ ନୂତନ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁଛନ୍ତି, ସେମାନେ ରାଗିଂକୁ ନେଇ ଭୟଭୀତ ହେଉଛନ୍ତି। ଏମିତି ଉଦାହରଣ ଦେଖିବାକୁ ମିଳୁଛି ଯେ ରାଗିଂ ଯୋଗୁ ପ୍ରବଳ ହିଂସାର ଶିକାର ହେଉଥିବା ବିଦ୍ୟାଥର୍ର୍ୀ ସେହି ଶିକ୍ଷାନୁଷ୍ଠାନ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି।
ରାଗିଂ ରୋକିବାର ଏକମାତ୍ର ପନ୍ଥା ଭାବେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଏବେ ବୁଝାପଡ଼ୁଛି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଏହି ଘଟଣାରେ ସମ୍ପୂର୍ଣ୍ଣ ନୀରବ ରହିଯାଉଛନ୍ତି, ଯେଉଁଥିରେ ଅସାମାଜିକ ଛାତ୍ରୀଛାତ୍ର ଅତ୍ୟଧିକ ମାତ୍ରାରେ ଉତ୍ପାତ ହେବାକୁ ସୁଯୋଗ ପାଉଛନ୍ତି। ଏହାପଛରେ ସେହିଭଳି ପିଲାଙ୍କ ଅଭିଭାବକମାନେ ଦେଉଥିବା ବିପୁଳ ଅର୍ଥର ଭୂମିକା ଥାଇପାରେ। କିନ୍ତୁ ସରକାରୀ ସ୍ତରରେ ଏଭଳି କୌଣସି ଉଦାହରଣ ଦେଖାଗଲେ ତାହାର ପ୍ରତିକ୍ରିୟା ଭାବେ ତତ୍‌କ୍ଷଣାତ୍‌ ସେହି ଅନୁଷ୍ଠାନର ମ୍ୟାନେଜିଂ କମିଟି ଅଧ୍ୟକ୍ଷ, ସଦସ୍ୟ ଏବଂ ପ୍ରିନ୍ସିପାଲ କିମ୍ବା ନିର୍ଦ୍ଦେଶକ ପୋଲିସ ଦ୍ୱାରା ଜାମିନବିହୀନ ଦଫାରେ ଗିରଫ ହେବା ଦରକାର। ସେଥିପାଇଁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। କର୍ତ୍ତୃପକ୍ଷଙ୍କୁ ଦାୟୀ କରା ନ ଯିବା ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ।

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ତରଫରୁ ରାଗିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। କର୍ତ୍ତୃପକ୍ଷଙ୍କୁ ଦାୟୀ କରା ନ ଯିବା ପର୍ଯ୍ୟନ୍ତ ଏହି ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri