ନୂଆଦିଲ୍ଲୀ, ୧୦।୮: ଫିଲ୍ଡ ଓ ଆଥ୍ଲେଟିକ୍ସରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିବା ନୀରଜ ଚୋପ୍ରା ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ହରିୟାଣାର ୨୩ ବର୍ଷୀୟ ଜାଭେଲିନ ଥ୍ରୋୟରଙ୍କ ଉପରେ ଦେଶବାସୀ ପୁରସ୍କାର ବର୍ଷା କରୁଥିବା ବେଳେ ଗୁଜୁରାଟ ବାରୁଚର ଏକ ତେଲ ଟାଙ୍କି ମାଲିକ ନୀରଜଙ୍କୁ ସମ୍ମାନିତ କରିବା ଲାଗି ବାଛିଛନ୍ତି ଏକ ଭିନ୍ନ ଉପାୟ।
ଯେଉଁମାନଙ୍କ ନାମ ନୀରଜ, ସେମାନଙ୍କୁ ମାଗଣାରେ ୫୦୧ ଟଙ୍କାର ପେଟ୍ରୋଲ ଦେବାକୁ ଘୋଷଣା କରିଛନ୍ତି ତେଲ ଟାଙ୍କି ମାଲିକ। ଏଭଳି ଘୋଷଣା ପରେ ତେଲ ଟାଙ୍କିରେ ଭିଡ଼ ଦେଖିବାକୁ ମିଳିଛି। ମାଲିକଙ୍କ ଅନୁଯାୟୀ, ଏହି ଅଫର କେବଳ ୨ ଦିନ ପର୍ଯ୍ୟନ୍ତ ଉପଲବ୍ଧ। ମାଗଣା ତେଲ ପାଇବା ପାଇଁ ସରକାରୀ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ଏହି ଘୋଷଣାର କିଛି ଘଣ୍ଟା ମଧ୍ୟରେ ୩୦ ଜଣ ନୀରଜଙ୍କୁ ମାଗଣାରେ ପେଟ୍ରୋଲ ଦିଆଯାଇଥିବା ତେଲ ଟାଙ୍କି ମାଲିକ କହିଛନ୍ତି।