ସଫଳତା ପଥେ ଜିନୁ

ପ୍ରଥମେ ଥିଏଟର ତା’ପରେ ଧାରାବାହିକ। ବାସ୍‌, ସେଇଠୁ ହିଁ ସେ ଅଭିନୟକୁ ପେସା କରିବାକୁ ମନସ୍ଥ କରିନେଇଥିଲେ। ୨୦୦୮ରେ ସେ ପାଦ ଥାପିଥିଲେ ଜଲିଉଡ୍‌ରେ। ଏହି ଅଭିନେତା ଜଣକ ହେଉଛନ୍ତି ଜିନୁ। ବର୍ତ୍ତମାନ ଅପେରା ସ୍ବର୍ଣ୍ଣମହଲରେ ନିଜ କ୍ୟାରିୟରକୁ ଆଗେଇ ନେଉଛନ୍ତି। ଆସନ୍ତା ଯାତ୍ରା ସିଜନ୍‌ରେ ତାଙ୍କୁ ଶିବାନୀ ଗଣନାଟ୍ୟରେ ଦେଖିବାକୁ ମିଳିବ। ଯାତ୍ରା ତ୍ରିରଙ୍ଗା ପରିବେଷିତ ନାଟକ ‘ତୁ ମୋଦି ମୁଁ ଗାନ୍ଧୀ’ରେ ଗାନ୍ଧୀ ଭୂମିକା ତାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। ନିଜ ଅପେରା ଜୀବନ ବିଷୟରେ ସେ କହନ୍ତି, ‘ଥିଏଟର, ଧାରାବାହିକ ଆଉ ତା’ପରେ ଓପନ ପେଣ୍ଡାଲ-ଏହି ତିନୋଟି ଫର୍ମାଟ୍‌ରେ ଅଭିନୟ କରିବା ପରେ ମୁଁ ଅନେକ କିଛି ଶିଖିପାରିଛି। ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟରେ ଡିଗ୍ରୀ ହାସଲ କରିବା ପରେ ଆକ୍ଟିଂ ପ୍ରତି ଅଧିକ ଧ୍ୟାନ ଦେଇଥିଲି। ମୋ ମତରେ ଜଣେ ଅଭିନୟକୁ ଭଲ ପାଇଲେ ହିଁ ସେ ସେଥିରେ ସଫଳ ହେବ। ମନ, ପ୍ରାଣ ଦେଇ ଆକ୍ଟିଂ କଲେ ତାହା ଦର୍ଶକଙ୍କ ମନକୁ ଛୁଇଁ ପାରିବ। କାରଣ ସେମାନଙ୍କ ପାଇଁ ଆଜି ମୁଁ ସଫଳତା ପରେ ସଫଳତା ହାସଲ କରିଚାଲିଛି।’ ଜଗତ୍‌ସିଂହପୁର ନାଉଗାଁ ବ୍ଲକ୍‌ ଅନ୍ତର୍ଗତ ଗାରୋଇ ଗ୍ରାମରେ ଜନ୍ମିତ ଜିନୁଙ୍କ ୧୫ବର୍ଷର ଅପେରା କ୍ୟାରିୟରର ସଫଳ ନାଟକ ମଧ୍ୟରେ ରହିଛି ‘ତୁ ମୋଦି ମୁଁ ଗାନ୍ଧୀ’, ‘ବାଃ ବାଃରେ ଉପରବାଲା’, ‘ଅସତୀ ତୁଳସୀ ସତୀ ଚଉରା’, ‘ଆମ ଗାଁ ଜଗନ୍ନାଥ ତୁମ ଗାଁ ଆଲ୍ଲା’, ‘ହାଟ ବସେଇଛି ହଟ ନାଗରୀ’, ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’, ‘ମୁଁ ରାତିର ରାଣୀ, ‘କହି ହେଉନି କି ସହି ହେଉନି’ ଏବଂ ‘ବଣ ମଣିଷ’ ପରି ଅନେକ ନାଟକ।

Share