Categories: ଖେଳ

‘ଆଗ ବିରାଟ-ରୋହିତଙ୍କୁ ଆଉଟ୍‌ କର, ଅଧା ଭାରତୀୟ ଟିମ୍‌ ସଫା’

ନୂଆଦିଲ୍ଲୀ,୧୬।୯: କେବଳ ଭାରତରେ ନୁହେଁ ବିଶ୍ୱ କ୍ରିକେଟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦୁଇଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଉଭୟ କ୍ରିକେଟର ତିନୋଟି ଫର୍ମାଟରେ ଲଗାତାର ଭାବେ ରନ ସ୍କୋର କରିଛନ୍ତି ଏବଂ ମ୍ୟାଚ ବିଜେତା ହୋଇଛନ୍ତି। ଟି -୨୦ ଅନ୍ତର୍ଜାତୀୟ ଫର୍ମାଟରେ ଏହି ବ୍ୟାଟ୍ସମ୍ୟାନଦ୍ୱୟ ସର୍ବାଧିକ ରନ୍‌ ସ୍କୋର କରିବା ମାମଲାରେ ଟପ-୨ରେ ଅଛନ୍ତି। ସେମାନେ ଦିନିକିଆରେ ପାଖାପାଖି ୧୦ ହଜାର ରନ ସଂଗ୍ରହ କରିଛନ୍ତି। ଡେବ୍ୟୁରୁ ଏପର୍ଯ୍ୟନ୍ତ ଏକ ଦଶନ୍ଧିରୁ ଅଧିକ ସମୟ ବିତିଯାଇଥିବା ବେଳେ ଉଭୟ ଦଳର ନିୟମିତ ଖେଳାଳି ଭାବରେ ନିଜର ସ୍ଥାନ ପକ୍କା କରିଛନ୍ତି।

ତେବେ ରୋହିତ ଏବଂ ବିରାଟଙ୍କର କିଛି ସେକେଣ୍ଡ ମଧ୍ୟରେ ବିପକ୍ଷ ଦଳର ହାତରୁ ମ୍ୟାଚ୍‌ ଛଡ଼ାଇବାର କ୍ଷମତା ରହିଛି। ଏଣୁ ଯେତେବେଳେ ବି କୌଣସି ଦଳ ଭାରତ ବିପକ୍ଷରେ ମ୍ୟାଚ ଖେଳନ୍ତି, ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଲାଗି ସମାନ ରଣନୀତି ଆପଣାଇଥାନ୍ତି। ଉଭୟ ଶୀର୍ଷ କ୍ରମରେ ଖେଳନ୍ତି। ଏଣୁ ବିରୋଧୀ ଟିମ୍‌ ସେମାନଙ୍କୁ ଶୀଘ୍ର ଆଉଟ୍‌ କରିବାକୁ ଚାହିଁଥାନ୍ତି। କାରଣ ଯଦି ସେମାନେ କ୍ରିଜରେ ଅଧିକ ସମୟ ବିତାନ୍ତି, ତେବେ ବିରୋଧୀ ଦଳ ପାଇଁ ଜିତିବାର ସମ୍ଭାବନା କମ ହୋଇଯାଏ।

ଏବେ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫଗାନ୍‌ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୋହିତ ଏବଂ ବିରାଟଙ୍କ ବିପକ୍ଷରେ ସମାନ ରଣନୀତି ସହ ବିଶ୍ୱର ପ୍ରତିଟି ଟିମ୍‌ ଓହ୍ଲାଇଥାନ୍ତି। କାରଣ ସେମାନେ ଜାଣନ୍ତି ଯଦି ଉଭୟଙ୍କୁ ଆଉଟ୍‌ କରିଦିଆଯାଏ ତେବେ ଭାରତୀୟ ଟିମ୍‌ର ଅଧା ଉଇକେଟ ଚାଲିଗଲା। ଯେବେ ବି ଆମେ ଭାରତ ବିପକ୍ଷରେ ଖେଳୁ, ଆମର ଯୋଜନା ଥାଏ ଯେ ରୋହିତ ଏବଂ କୋହଲିଙ୍କୁ ଶୀଘ୍ର ଆଉଟ୍‌ କରିବା। ଉଭୟଙ୍କ ଉଇକେଟ ନେଇଯିବା ଅର୍ଥ ଅଧା ଭାରତୀୟ ଦଳ ଗଲା। କାରଣ ଏହି ଦୁଇଜଣ ଏକାକି ମ୍ୟାଚ୍‌ ଜିତାଇପାରନ୍ତି। ଏମିତିରେ ଆମର ଯୋଜନା ଥାଏ ଯେ ଆରମ୍ଭରୁ ସେମାନଙ୍କୁ ଆକ୍ରମଣ କରିବା। ଯଦି ସେମାନେ ଆରମ୍ଭରେ ଆଉଟ୍‌ ନ ହୁଅନ୍ତି ତେବେ ସେମାନଙ୍କୁ ଅସୁବିଧାରେ ପକାଇବା କଷ୍ଟକର ହୋଇପଡେ। ବିଶେଷକରି ବିରାଟ କୋହଲି। ଯେତେବେଳେ ସେ କ୍ରିଜରେ ଭଲ ଖେଳୁଥାନ୍ତି ତାଙ୍କୁ ଆଉଟ୍‌ କରିବା କଷ୍ଟକର। ଏମିତିରେ ଯଦି ଉଭୟଙ୍କ ଉଇକେଟ ଚାଲିଯାଏ ତେବେ ଦିନିକିଆରେ ଭାରତର ୧୦୦-୧୨୦ ରନ୍‌ କମ୍‌ ହୋଇଯାଏ ଏବଂ ଟି୨୦ରେ ୬୦-୭୦ ରନ୍‌ କମ୍‌ ହୋଇଯାଏ ବୋଲି ସେ କହିଛନ୍ତି।

Share