ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ’

ବେଜିଂ,୧୫ା୧୦: ଭାରତ ସହିତ ଚାଇନାର ସୀମା ବିବାଦ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ନ୍ୟୁଜ୍‌ ଏଜେନ୍ସି ଶିନ୍‌ହୁଆରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥିବା ବୁଧବାର ସିଏନ୍‌ଏନ୍‌ ପକ୍ଷରୁ କୁହାଯାଇଛି।
ରିପୋର୍ଟ ଅନୁସାରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ମଙ୍ଗଳବାର ଗୁଆଙ୍ଗ୍‌ଡୋଙ୍ଗ ପ୍ରଦେଶର ଚାଓଝୌ ସିଟିରେ ପିଏଲ୍‌ଏର ମେରାଇନ୍‌ କର୍ପ୍ସ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ପିଏଲ୍‌ଏ ସୈନ୍ୟଙ୍କୁ ଯୁଦ୍ଧ ପାଇଁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ କହିଥିଲେ। ରାଷ୍ଟ୍ର ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ପ୍ରକାଶ କରି ବିଶ୍ୱସ୍ତ ହେବାକୁ ଏବଂ ହାଇଆଲର୍ଟରେ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ପୂର୍ବ ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଭାରତ ଓ ଚାଇନା ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଏପରି ଆଭିମୁଖ୍ୟକୁ ଗୁରୁତ୍ୱ ଦିଆଯାଉଛି।
ପ୍ରକାଶ ଯେ, ଜୁନରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷ ମୃତାହତ ହୋଇଥିଲେ। ସେବେଠୁ ଦୁଇଦେଶର ସେନା ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ଜାରି ରହିଛି। ମଙ୍ଗଳବାର ୧୧ ଘଣ୍ଟା ଧରି ସପ୍ତମ କର୍ପ୍ସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ଯଥାଶୀଘ୍ର ସମ୍ଭବ ସୈନ୍ୟ ପ୍ରତ୍ୟାହାର ପାଇଁ କୂଟନୈତିକ ଓ ସାମରିକ ଚ୍ୟାନେଲ ଜରିଆରେ ଗ୍ରହଣଯୋଗ୍ୟ ଉପାୟ ଅବଲମ୍ବନ କରିବାକୁ ରାଜି ହୋଇଥିଲେ।

Share