Categories: ଜାତୀୟ

‘ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ’

ନୂଆଦିଲ୍ଲୀ, ୧୪।୮:ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ଥାନର ଭାଜପା ବିଧାୟକମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ପରାମର୍ଶ ଦେଇଥିବା ଜଣାପଡିଛି। ଗୋଷ୍ଠୀବିବାଦ ଦେଖାଦେଇଥିବା ରାଜ୍ୟର କଂଗ୍ରେସ ସରକାର ଅସ୍ଥିର ଏବଂ ଏହା ବେଶିଦିନ ତିଷ୍ଠିବ ନାହିଁ ବୋଲି ସେ କହିଛନ୍ତି।
ଶୁକ୍ରବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଭାଜପା ରାଜ୍ୟ ଶାଖାର ବରିଷ୍ଠ ନେତା ଓ ବିଧାୟକଙ୍କ ବୈଠକ ବସି ଦଳୀୟ ରଣକୌଶଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଶୁକ୍ରବାର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନିଷ୍ପତ୍ତି ହୋଇଥିବା ରାଜ୍ୟ ଭାଜପା ସଭାପତି ସତୀଶ ପୁନିଆ ଗଣମାଧ୍ୟମକୁ କହିଛନ୍ତି। ବୈଠକରେ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାଧାରଣ ସମ୍ପାଦକ ମୁରଲୀଧର ରାଓ, ରାଜ୍ୟ ପ୍ରଭାରୀ ଅବିନାଶ ଖାନ୍ନା, ବସୁନ୍ଧରା ରାଜେ ପ୍ରମୁଖ ଉପସ୍ଥିତ ଥିଲେ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଭାଜପାର ସମସ୍ତ ବିଧାୟକ ଯୋଗଦେଇଥିଲେ। ରାଜସ୍ଥାନରେ ଗତମାସରୁ ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ଭାଜପା ବିଧାୟକମାନଙ୍କର ଏହା ଥିଲା ପ୍ରଥମ ବୈଠକ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାର ଭାଙ୍ଗିବା ପାଇଁ ଭାଜପା ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ କେତେଜଣ ନେତାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମୁଣ୍ଡରେ ଦୋଷ ଲଦିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ତାହା ହେବାକୁ ଦିଆଯିବ ନାହିଁ ବୋଲି ଭାଜପା କହିଛି।

Share