କୋଡରମା,୧୯ ।୧: କରୋନା ଭ୍ୟାକ୍ସିନକୁ ନେଇ ଝାଡ଼ଖଣ୍ଡରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଝାଡ଼ଖଣ୍ଡର କୋଡରମାରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେଉଁ ସରକାରୀ କର୍ମଚାରୀମାନେ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି ବା ନେଉ ନାହାନ୍ତି ସେମାନଙ୍କ ଦରମା ବନ୍ଦ କରି ଦିଆଯିବ । ଆଉ ଯେପର୍ଯ୍ୟନ୍ତ ସେମାନେ କରୋନା ଟିକା ନେଇ ନାହାନ୍ତି ସେପର୍ଯ୍ୟନ୍ତ ତାଙ୍କୁ ଦରମା ମିଳିବ ନାହିଁ । ଏହାକୁ ନେଇ ପ୍ରତିବାଦ ହେବାରୁ ଏବେ ଏହି ନିର୍ଦ୍ଦେଶକୁ ଫେରାଇ ନିଆଯାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ପରେ ସାରା ଦେଶରେ କରୋନା ଟିକାକରଣ କରାଯାଉଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ହେଲେ ଏହି ଟିକା ଲାଗାଇବା ସରକାରଙ୍କ ପକ୍ଷରୁ ଅନିର୍ବାର୍ଯ୍ୟ କରାଯାଇ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତଣାଳୟ କହିଛି ଟିକା ନେବା କେବଳ ଜଣଙ୍କର ନିଜସ୍ୱ ଇଚ୍ଛ୍ଥା । କେହି ଏହାକୁ ବାଧ୍ୟ କରି ଦେଇ ପାରିବେ ନାହିଁ । ରେଜିଷ୍ଟ୍ରେଶନ କରିବା ପରେ ବି ଜଣେ ବ୍ୟକ୍ତି ଯଦି ଟିକା ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ତେବେ ତାଙ୍କୁ ମଧ୍ୟ ଟିକା ଦିଆଯିବ ନାହିଁ ।