Categories: ଜାତୀୟ

ଭାଜପାକୁ ମିଳିଛି ସର୍ବାଧିକ ଚାନ୍ଦା: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୧।୭ : ଥିଙ୍କ ଟ୍ୟାଙ୍କ ’ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ର ଏକ ରିପୋର୍ଟରେ କୁହାଯାଇଛି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ସମସ୍ତ ଦାନର ଅଧାରୁ ଅଧିକ ନିର୍ବାଚନ ବଣ୍ଡ ମାଧ୍ୟମରେ ହୋଇଥିଲା ଏବଂ ଭାଜପା ସର୍ବାଧିକ ପାଇଛି।

ଏଡିଆର ଅନୁଯାୟୀ, ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ସାତୋଟି ଜାତୀୟ ଦଳ ଏବଂ ଭାରତର ୨୪ ଟି ଆଞ୍ଚଳିକ ଦଳ ପ୍ରାୟ ୧୬,୪୩୭ କୋଟି ଟଙ୍କା ଦାନ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ୯,୧୮୮.୩୫ କୋଟି ଟଙ୍କା ବା ପ୍ରାୟ ୫୬ ପ୍ରତିଶତ ନିର୍ବାଚନ ବଣ୍ଡ ମାଧ୍ୟମରେ ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ୧୦,୧୨୨.୦୩ କୋଟି ଟଙ୍କା ଦାନ ଘୋଷଣା କରିଛି, ତା’ପରେ କଂଗ୍ରେସ ୧,୫୪୭.୪୩ କୋଟି ଟଙ୍କା ଏବଂ ଟିଏମସି ୮୨୩.୩୦ କୋଟି ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏଥିରେ ଦର୍ଶାଯାଇଛି ଭାଜପା ଘୋଷଣା କରିଥିବା ମୋଟ ଦାନ ଅନ୍ୟ ସମସ୍ତ ଜାତୀୟ ଦଳ ଘୋଷଣା କରିଥିବା ମୋଟ ଦାନର ତିନି ଗୁଣରୁ ଅଧିକ।

୪,୬୧୪.୫୩ କୋଟି ଟଙ୍କା ଯାହା ସମୁଦାୟ ଦାନର ପ୍ରାୟ ୨୮ ପ୍ରତିଶତ କର୍ପୋରେଟ କ୍ଷେତ୍ରରୁ ଏବଂ ୨,୬୩୪.୭୪ କୋଟି ୧୬.୦୩ ପ୍ରତିଶତ ଅନ୍ୟାନ୍ୟ ଉତ୍ସରୁ ଆସିଛି। ୮୦ ପ୍ରତିଶତରୁ ଅଧିକ ଦାନ ବା ପ୍ରାୟ ୧୩,୧୯୦.୬୮ କୋଟି ଟଙ୍କା ଜାତୀୟ ଦଳକୁ ଯାଇଥିବାବେଳେ ୩,୨୪୬.୯୫ କୋଟି ୧୯.୭୫ ପ୍ରତିଶତ ଆଞ୍ଚଳିକ ଦଳକୁ ଯାଇଛି।

ଜାତୀୟ ଦଳଗୁଡିକ ପାଇଁ, ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ନିର୍ବାଚନ ବଣ୍ଡରୁ ଦାନ ୭୪୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ କର୍ପୋରେଟ ଦାନ ୪୮ ପ୍ରତିଶତ ବୃଦ୍ଧି ପାଇଛି। ସାଧାରଣ ନିର୍ବାଚନ ବର୍ଷ ୨୦୧୯-୨୦ରେ ୪,୮୬୩.୫୦ କୋଟିର ସର୍ବାଧିକ ଦାନ ଗ୍ରହଣ କରାଯାଇଥିଲା, ତା’ପରେ ୨୦୧୮-୧୯ ରେ ୪,୦୪୧.୪୮ କୋଟି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ୩,୮୨୬.୫୬ କୋଟି ଟଙ୍କା ମିଳିଥିଲା।

ନିର୍ବାଚନ ବଣ୍ଡ ମାଧ୍ୟମରେ ଭାଜପା ଏହାର ୫୨ ପ୍ରତିଶତରୁ ଅଧିକ ଦାନ ପାଇଛି। ଭାଜପା ଗ୍ରହଣ କରିଥିବା ଦାନର ପ୍ରାୟ ୩୨ ପ୍ରତିଶତ କର୍ପୋରେଟ ହାଉସରୁ ଆସିଛି।

Share