ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି: ତାରାପ୍ରସାଦ ବାହିନୀପତି

କୋରାପୁଟ,୧୪ା୧୨(ଅମିତାଭ ବେହେରା): କୋରାପୁଟରେ ଲକ୍ଷ୍ମୀ ବସ୍‌ ସେବା ଉଦ୍‌ଘାଟନ ଅବସରରେ କେତେକ କାରଣ ଯୋଗୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ମଞ୍ଚରେ ସମସ୍ତଙ୍କ ସମ୍ମୁଖରେ ସେ ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି ବୋଲି ଚେତାବନୀ ଦେଇଥିଲେ। ତାରା ଭାଷଣ ଦେବାକୁ ଯାଉଥିବା ବେଳେ ମଞ୍ଚ ଆଗରେ ବସିଥିବା କିଛି ବିଜେଡ଼ି କର୍ମୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଥିଲେ।

ସରକାରୀ କାର୍ଯ୍ୟକ୍ରମରେ ବିଜେଡ଼ି କର୍ମୀ ନବୀନ ପଟ୍ଟନାୟକ ସ୍ଲୋଗାନ ଦେଇ ତାଙ୍କ ଭାଷଣ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ନବୀନ ପଟ୍ଟନାୟକ ନାରା ଦେଇସାର, ମୁଁ ତା’ପରେ ଭାଷଣ ଦେବି ବୋଲି କହି ତାରା ଅପେକ୍ଷା କରିଥିଲେ। ପରେ ମୋ ସହିତ ଲାଗନି ସବୁ କାର୍ଯ୍ୟକ୍ରମ ଭଣ୍ଡୁର କରିଦେବି। ଭାଲୁ ଭାଇନାକୁ ଚ୍ୟାଲେଞ୍ଜ କଲେ ଭାଲୁ ବରଦାସ୍ତ କରେନାହିଁ ବୋଲି ତାରା କହିଥିଲେ। ମଞ୍ଚ ସମ୍ମୁଖରେ ବସିଥିବା ବିଜେଡ଼ି କର୍ମୀମାନଙ୍କୁ ଲକ୍ଷ୍ୟ କରି ସେ କହିଲେ, ନିର୍ବାଚନ ଭୋଟ ବ୍ୟାଙ୍କ ରାଜନୀତିକୁ ମୁଁ ଡରୁନି। ପୂର୍ବରୁ ସରକାରଙ୍କ ବିଜୁ ଗାଁ ଗାଡି, ସିଟି ବସ୍‌ ସେବା ଜିଲାରେ ବିଫଳ ହୋଇଛି। ଏବେ ତୃତୀୟ ଥର ପାଇଁ ସରକାର ଘରେ ଘରେ ଲକ୍ଷ୍ମୀ ବସ୍‌ ସେବା କୋରାପୁଟବାସୀଙ୍କୁ ଦେଲେ। ଏହାକୁ ସ୍ବାଗତ କରୁଛି ବୋଲି ପ୍ରକାଶ କରି ତାରା କହିଲେ, ସରକାରଙ୍କ ଏହି ଯୋଜନା ଫେଲ୍‌ ନ ମାରୁ। ଲୋକେ ଉପକୃତ ହୁଅନ୍ତୁ।

ଏହି ସମୟରେ ମଞ୍ଚରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ଜିଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଲକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share