Advertisement

ଲୋପ ପାଇବାକୁ ବସିଲାଣି ଗହ୍ମାଡ଼ିଆଁ, ଗୋମାତା ପୂଜାର୍ଚ୍ଚନା

ପଦ୍ମପୁର, ୩୧।୮ (ପ୍ରଶାନ୍ତ କୁମାର କର)ଆଧୁନିକତାର ସ୍ପର୍ଶରେ ଲୋପ ପାଇବାକୁ ବସିଲାଣି ବିଭିନ୍ନ ଲୋକ ସଂସ୍କୃତି ଓ ପରମ୍ପରା। ପୂର୍ବରୁ ରାଖୀପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଏବଂ ଗୋମାତା ପୂଜାର୍ଚ୍ଚନା କରାଯାଉଥିବାବେଳେ ଏବେ ସହର କିମ୍ବା ଗ୍ରାମାଞ୍ଚଳ ଆଉ ଆଗଭଳି ଦେଖିବାକୁ ମିଳୁନାହିଁ। ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିବସ ପାଳନ କରାଯାଇଥାଏ। ଏହି ଦିନ ଓଡ଼ିଆଙ୍କ ଘରେ ପିଠାପଣା ଆଦି କରାଯାଇ ଗାଈ, ବଳଦଙ୍କୁ ଗାଧୋଇବା ସହ ସେମାନଙ୍କ ମୁଣ୍ଡରେ ସିନ୍ଦୂର ଟୋପା ଓ ସିଘଂରେ ଅଳତା ଏବଂ ହଳଦୀ ଲଗାଇ ଧୂପ ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ପୂଜା କରାଯାଏ ଓ ସେମାନଙ୍କୁ ପିଠା ଖାଇବାକୁ ଦିଆଯାଇଥାଏ। ଚାଷୀ ଅକ୍ଷୟତୃତୀୟାରେ ଚାଷ କାର୍ଯ୍ୟ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମାରେ ଚାଷ କାମ ଶେଷ କରି ହଳ, ଲଙ୍ଗଳକୁ ଧୁଆଧୋଇ କରି ସଫା କରି ଘରେ ସାଇତି ରଖିଥାଏ। ହେଲେ ଆଧୁନିକ ଯୁଗରେ ହଳ, ଲଙ୍ଗଳ ଓ ବଳଦ ସ୍ଥାନ ନେଲାଣି ଟ୍ରାକ୍ଟର। ତେଣୁ ଜନମାନସରୁ ଏହା ଧୀରେ ଧୀରେ ହଜିବାକୁ ବସିଲାଣି। ସେହିଭଳି ଶ୍ରାବଣ ପୂର୍ଣ୍ଣିମାରେ ଗମାଡିଆ କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଥିଲା। ପ୍ରଭୁ ବଳଭଦ୍ର ଏହି ଦିନ ଗମ୍ମାସୁରକୁ ବଦ୍ଧ କରି ପୃଥିବୀର ପାପ ଭାର ଲାଘବ କରିଥିବାରୁ ତାଙ୍କୁ ମନେ ରଖିବା ପାଇଁ ଯୁବଗୋଷ୍ଠୀ ଏହା ପାଳନ କରିଥାନ୍ତି। ଶ୍ରାବଣ ପୂର୍ଣ୍ଣିମା ଏକ ସପ୍ତାହ ପୂର୍ବରୁ ଗାଁ ଦାଣ୍ଡରେ ଯୁବଗୋଷ୍ଠୀ ସ୍ଲାପ ଆକୃତି ଭଳି ୫ରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ମାଟି ଆକୃତି କରି ସେଥିରେ ଘାସ ଗାଲିଚା ପକାଇ ଏହା ତିଆରି କରିଥାନ୍ତି। ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନରେ ଏଠାରେ ଗହ୍ମାଡିଆ ଖେଳ ଅନୁଷ୍ଠିତ ହୋଇଥାଏ। ସହରାଞ୍ଚଳ ଏହି ଗହ୍ମାଡିଆଁ ଖେଳ ସଂପୂର୍ଣ୍ଣ ଭାବେ ଲୋପ ପାଇଯାଇଥିବାବେଳେ ଗ୍ରାମାଞ୍ଚଳରେ ମଧ୍ୟ କାଁ ଭାଁ କେଉଁଠି ଦେଖିବାକୁ ମିଳୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share