ଘଟଗାଁ/କେନ୍ଦୁଝର,୧୮।୧: ଦୀର୍ଘ ୧୦ମାସ ପରେ ଖୋଲିଲା ଘଟଗାଁ ମା’ତାରିଣୀ ପୀଠ। ସୋମବାର ସକାଳେ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ସେବାୟତଙ୍କ ପରିବାର ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିଥିଲେ। ପରେ ବିନା ଭୋଗ ସହ ମା’ଙ୍କ ଦର୍ଶନ ପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଆସି ଲମ୍ବା ଧାଡ଼ିରେ ମା’ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ। ଘଟଗାଁ ତହସିଲଦାର ଜନକ ନାୟକ, ବିଡିଓ ନାରାୟଣ ଚନ୍ଦ୍ର ସାହୁ, ଏସ୍ଡିପିଓ ରବୀନ୍ଦ୍ରନାଥ ମଲ୍ଲିକ ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ମନ୍ଦିର ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି। ପ୍ରଥମ ଦିନରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।