Advertisement

ଘାଟିଶୁଳା,ଚକରା ଘାଟିକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡାଯିବ: ପ୍ରଦ୍ୟୁମ୍ନ

ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିର୍ବାଚିତ ହେବା ପରଠାରୁ ନିଜ ନିର୍ବାଚନ ମଣ୍ଡଳୀର ଅଧିକ ବିକାଶ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର କିପରି ବିକାଶ ହୋଇ ଭଞ୍ଜନଗର ପର୍ଯ୍ୟଟକଙ୍କ ମନ ଜିଣିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଇତି ମଧ୍ୟରେ ସେ ଘୁମୁସର ଇତିହାସର ମୁକସାଖୀ ଘାଟିଶୁଳା ଏବଂ ଚକରା ଘାଟିର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ବିଧାୟକ ନାୟକ ସୋମବାର ଉଭୟ ସ୍ଥଳ ପରିଦର୍ଶନ କରି ବର୍ତ୍ତମାନ ଅନୁଦାନ ଆସିଥିବା ଅର୍ଥ କିଭଳି ବ୍ୟୟ ହେଉଛି ତାହାର ସମୀକ୍ଷା କରିଥିଲେ। ଚକରା ଘାଟିର ଉନ୍ନତି ପାଇଁ ୬ କୋଟି ଟଙ୍କା ଆସିଛି। ଚକରା ଘାଟିରେ ସଫାରୀ ବ୍ୟବସ୍ଥା ହେବ। ଏହାକୁ କେବଳ ଡେ ଟୁରିଜିମରେ ସାମିଲ କରାଯିବ। ସେହିଭଳି ଘାଟିଶୁଳାର ବିକାଶ ମଧ୍ୟ କରାଯାଉଛି। ପର୍ଯ୍ୟଟକମାନେ ଏହି ଦୁଇ ସ୍ଥାନରେ ରହିବା ଭଳି ବ୍ୟବସ୍ଥା କରାଯାଉଛି। ଉକ୍ତ ସ୍ଥାନକୁ ବିଦ୍ୟୁତ ସୁବିଧା ନ ଥିବାରୁ ସୋଲାର ଲାଇଟ ବ୍ୟବସ୍ଥା ହେବ ବୋଲି ସେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି। ଘାଟିଶୁଲାରେ କଟେଜ, ବୋଟିଂ ବ୍ୟବସ୍ଥା ହେବ। ସେଠାରେ ଥିବା ପୋଖରୀର ପୁନରୁଦ୍ଧାର କରାଯିବ। ଇକୋ ଟୁରିଜିୟମରେ ଏହାକୁ ସାମିଲ କରାଯିବ। ଉଭୟ ସ୍ଥଳ ଘୁମୁସର ବୀର ସ୍ବାଧୀନତା ସଂଗ୍ରାମୀ ଚକରା ବିଶୋୟୀଙ୍କ ଘାଟି ଥିଲା। ଏଠାରେ ରହି ସେ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରୁଥିଲେ। ଏହି ଦୁଇ ସ୍ଥାନର ବିକାଶ କରାଯାଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଯେପରି ମିଳିବ ସେଦିଗରେ ବିଧାୟକ ନାୟକ ପଦକ୍ଷେପ ନେଇଛନ୍ତି। ଏହି ସ୍ଥଳ ବୁଲିବା ସମୟରେ ବିଧାୟକ ନାୟକ କାଳଞ୍ଜି ନୂଆଁପଲ୍ଲୀ ଛକଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ନାୟକ, ଗ୍ରାମ୍ୟ ପାଇପ ଜଳ ଯୋଗାଣର ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ, ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ଭାଜପା ନେତା ଧୋବା ଗୌଡ, ବ୍ଲକ ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ, ଗାଲେରି ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share