ଗାଜଲବାଡ଼ି ଘାଟିରାସ୍ତା ସିଲ୍‌

ଦାରିଙ୍ଗବାଡ଼ି,୨୬ା୯(ଡି.ଏନ୍‌.ଏ.):ବାତ୍ୟା ଗୁଲାବ ପ୍ରଭାବରେ ରବିବାର ସନ୍ଧ୍ୟାରୁ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଉଛି। ପ୍ରବଳ ବର୍ଷା ହେଲେ ଭୂସ୍ଖଳନ ଆଶଙ୍କା ଥିବାରୁ କନ୍ଧମାଳ ଏବଂ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ନଂ. ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ୨ ଜିଲାର ସୀମା ସିଲ କରାଯାଇଛି। ଫଳରେ ଦାରିଙ୍ଗବାଡ଼ିଠାରୁ ଘାଟିରାସ୍ତା ଦେଇ ଭୁବନେଶ୍ୱର, ବ୍ରହ୍ମପୁର, ସୋରଡ଼ା ଆଦି ଅଞ୍ଚଳକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଇକିଆ, ଜି.ଉଦୟଗିରି କଳିଙ୍ଗା ଘାଟି ଦେଇ ସମସ୍ତ ଗାଡ଼ି ଚଳାଚଳ କରୁଛି। ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଡବେରୀଠାରେ ଫୋର୍ସ ମୁତୟନ କରାଯାଇଥିବା ବେଳେ ବାଇମାଲାଠାରେ ଗଞ୍ଜାମ ଏବଂ କନ୍ଧମାଳ ସୀମା ସିଲ କରାଯାଇଛି। ଅନ୍ୟପଟେ ଗଞ୍ଜାମ ପଟୁ ଗାଜଲବାଡ଼ି ଠାରେ ସିଲ କରି ଦିଆଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି। ସୂଚନାଯୋଗ୍ୟ, ତିତ୍‌ଲି ବାତ୍ୟା ବେଳେ ଉକ୍ତ ଘାଟିରେ ଭୂସ୍ଖଳନ ହୋଇଥିଲା। ପ୍ରାୟ ୧ମାସରୁ ଊର୍ଦ୍ଧ୍ୱ ଘାଟିରାସ୍ତାରେ ଯାତାୟାତ ବନ୍ଦ ରହିଥିଲା।

Share